Report Card Odisha

| Daily Odia News

ମିଛ ଲୁଟ୍‌ ନାଟକର ପର୍ଦ୍ଦାଫାସ,୪ ଗିରଫ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଫାଇନାନ୍ସ କମ୍ପାନୀ ଖୋଲି ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ କରିବା ପରେ ତାହା ଲୁଟ୍‌ ହୋଇଯାଇଥିବାର ମିଛ ନାଟକ କରିଥିବା ଏକ ଗୋଷ୍ଠୀର ପର୍ଦ୍ଦାଫାସ କରିଛି ଝାରସୁଗୁଡ଼ା ପୋଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମାଟି ତଳେ ପୋତା ଯାଇଥିବା ୪ ଲକ୍ଷ ୮୯ ହଜାର ଟଙ୍କା ଜବତ କରାଯାଇଛି। ସୂଚନା ଅନୁସାରେ, ଅଭିଯୁକ୍ତମାନେ ଏକ ଫାଇନାନ୍ସ କମ୍ପାନୀ ଚଳାଉଥିଲେ। ସେମାନେ ବିଭିନ୍ନ ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ କରି ତାହା କମ୍ପାନୀରେ ଜମା କରୁଥିଲେ। ତେବେ ଆଦାୟ ହୋଇଥିବା ଟଙ୍କାକୁ ନିଜେ ହଡ଼ପ କରିବା ଉଦ୍ଦେଶ୍ୟରେ ଲୁଟ୍‌ର ଏକ ମିଛ କାହାଣୀ ରଚିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।ଅଭିଯୁକ୍ତମାନେ ବଡ଼ମାଲ ଥାନାରେ ପହଞ୍ଚି ଆଦାୟ ଟଙ୍କା ଲୁଟ୍‌ ହୋଇଯାଇଥିବା ନେଇ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଘଟଣାସ୍ଥଳ, ଅଭିଯୁକ୍ତଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟକୁ ନେଇ ପୋଲିସ ଖୋଳତାଡ଼ କରିବା ପରେ ଲୁଟ୍‌ ଅଭିଯୋଗରେ ଅସଙ୍ଗତି ଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ତଦନ୍ତରେ ମିଛ ଲୁଟ୍‌ ନାଟକର ପ୍ରକୃତ ରହସ୍ୟ ସାମ୍ନାକୁ ଆସିଥିଲା। ଆଦାୟ ଟଙ୍କାକୁ ଲୁଟ୍‌ ହୋଇଥିବା ଦର୍ଶାଇ ନିଜେ ହଡ଼ପ କରିବାକୁ ଅଭିଯୁକ୍ତମାନେ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଥିଲା। ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ସୂଚନା ପାଇ ମାଟି ତଳେ ପୋତା ଯାଇଥିବା ୪.୮୯ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା। ଏହା ପରେ ମାମଲାରେ ମିଛ ଲୁଟ୍‌ ନାଟକ ରଚିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି।

Breaking News