Report Card Odisha

| Daily Odia News

୧୦ ଜିଲ୍ଲାରେ ହେବ ନିଯୁକ୍ତି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୯ତମ ଷ୍ଟେଟ୍‌ ଲେଭଲ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲୁସିଏ) ବୈଠକରେ ୧୦ ଜିଲା ପାଇଁ ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ୧୪,୧୦୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଅନୁମୋଦିତ ପ୍ରସ୍ତାବ ଅନୁଯାୟୀ, ଖୋର୍ଦ୍ଧା ଓ କଟକରେ ହଲ୍‌ଦିରାମ ସ୍ନାକ୍ସ ଫୁଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୫୦୦ କୋଟି ଟଙ୍କା ବିନିଯୋଗରେ ସ୍ନାକ୍ସ ଓ ବେକ୍ଡ ପ୍ରଡକ୍ଟ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ। ଏଥିରେ ୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଟିୱାନା ନ୍ୟୁଟ୍ରିଶନ୍‌ ଗ୍ଲୋବାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୧୪୦ କୋଟି ଟଙ୍କାରେ କ୍ୟାଟଲ୍‌ ଫିଡ୍‌ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବାକୁ ରହିଥିବାବେଳେ ଏଥିରେ ୨,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରିମିୟମ୍‌ ଚିକ୍‌ ଫିଡ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଖୋର୍ଦ୍ଧା, କଟକ ଓ ନୟାଗଡ଼ରେ ୧୦୫.୩୮ କୋଟି ବିନିଯୋଗରେ ଚିକ୍‌ ଫିଡ୍‌ ୟୁନିଟ୍‌ କରିବ ଏବଂ ଏଥିରେ ୧,୦୫୪ ନିଯୁକ୍ତି ହେବାକୁ ରହିଛି। ଢେଙ୍କାନାଳରେ ସାହାନା କ୍ଲଥିଂ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡ୍‌ ୨୫୧.୪୫ କୋଟିରେ ନିଟେଡ୍‌ ବେବି ଓ କିଡ୍ସ ୱେୟାର ଉତ୍ପାଦନ ୟୁନିଟ୍‌ କରିବ। ଏଥିରେ ୫,୧୦୪ଟି ନିଯୁକ୍ତି ସୁଯୋଗ ରହିଥିବାବେଳେ ବଲାଙ୍ଗୀରରେ ପ୍ରତିମା ଆଗ୍ରୋ ସ୍ପିନିଂ ମିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୧୨୫ କୋଟି ଟଙ୍କାରେ ଟେକ୍ସଟାଇଲ୍‌ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରିବ ଏବଂ ଏଠାରେ ୪୦୦ ନିଯୁକ୍ତି ହେବ। ଗଞ୍ଜାମରେ ପ୍ରାସୋଲ୍‌ କେମିକାଲ୍ସ ଲିମିଟେଡ୍‌ ୪୫୦ କୋଟି ଟଙ୍କାରେ ଫସ୍‌ଫରସ୍‌ ଆଧାରିତ ଡେରିଭେଟିଭ୍‌ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୪୫୮ ନିଯୁକ୍ତି ସୁଯୋଗ ରହିଥିବାବେଳେ ସୁନ୍ଦରଗଡ଼ରେ ନ୍ୟୁ ଜେନେରେଶନ୍‌ ମାନୁଫାକ୍ଚରିଂ ପ୍ରାଇଭେଟ୍‌ ଲିମିଟେଡ୍‌ ୮୦ କୋଟିରେ କୋଲ୍‌ ଟାର୍‌ ଡିଷ୍ଟିଲେଶନ୍‌ ଓ ବାଇ-ପ୍ରଡକ୍ଟ ଉତ୍ପାଦନ ୟୁନିଟ୍‌ କରିବ। ଏଥିରେ ୩୦୧ ଜଣ ନିଯୁକ୍ତି ପାଇବେ। ନୂଆପଡ଼ାରେ ହାସଭାନ୍‌ ରସାୟନ ପ୍ରାଇଭେଟ୍‌ ଲିମିଟେଡ୍‌ ୫୫ କୋଟି ଟଙ୍କାରେ ବଲ୍କ ଡ୍ରଗ୍‌ ଇଣ୍ଟରମିଡିଏଟ୍ସ ଉତ୍ପାଦନ ୟୁନିଟ୍‌ ନିର୍ମାଣ କରିବ। ଖୋର୍ଦ୍ଧାରେ ଶସ୍ତା ସୁନ୍ଦର ହେଲ୍‌ଥ ବଡି ଲିମିଟେଡ୍‌ ୫୬ କୋଟି ଟଙ୍କାରେ ମେଡିକାଲ ଡିଭାଇସ୍‌ ଉତ୍ପାଦନ ୟୁନିଟ୍‌ କରିବ। ଏଥିରେ ୧,୦୫୦ ନିଯୁକ୍ତି ସୁଯୋଗ ରହିଥିବାବେଳେ ସିର୍‌ମା ଏସ୍‌ଜିଏସ୍‌ ଟେକ୍ନୋଲୋଜି ଲିମିଟେଡ୍‌ ୩୦୦ କୋଟିରେ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ ଆସେମ୍ବ୍‌ଲି ଓ ବକ୍ସ ବିଲ୍ଡ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ ଏବଂ ଏଥିରେ ୫୦୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। କେନ୍ଦୁଝରରେ ମହାତ୍ରିପୁରାସୁନ୍ଦରୀ ମିନେରାଲ୍ସ ଆଣ୍ଡ୍‌ ମେଟାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ୧୬୦ କୋଟି ଟଙ୍କାରେ ଫେରୋ ଆଲଏଜ୍‌, କ୍ରୋମ୍‌ ଡେରିଭେଟିଭ୍ସ, ମେଟାଲ୍ସ ରିକଭରି ଓ କ୍ରୋମ୍‌ ଓର୍‌ ବେନିଫିସିଏଶନ୍‌ ପାଇଁ ଏକୀକୃତ କମ୍ପ୍ଲେକ୍ସ ସ୍ଥାପନ କରିବ। ଏଥିରେ ୧,୪୬୦ ନିଯୁକ୍ତି ସୁଯୋଗ ସୃଷ୍ଟିହେବାକୁ ରହିଥିବାବେଳେ କଟକରେ ଶ୍ରୀଜଗନ୍ନାଥ ଇସ୍ପାତ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୯୦.୯୪ କୋଟି ଟଙ୍କାରେ କଲର କୋଟେଡ୍‌ ଶିଟ୍‌, କରୁଗେଟେଡ୍‌ ଜିଆଇ ଶିଟ୍‌, ପ୍ଲେନ୍‌ ଜିଆଇ ଶିଟ୍‌ ଓ ଜିଆଇ ଷ୍ଟ୍ରକ୍ଚରାଲ୍‌ କମ୍ପୋନେଣ୍ଟ ଉତ୍ପାଦନ ୟୁନିଟ୍‌ କରିବ। ଢେଙ୍କାନାଳରେ ଏନ୍‌କେଏସ୍‌ ଅର୍ଥବିଲ୍ଡ ଲିମିଟେଡ୍‌ ୬୦.୯୮ କୋଟିରେ ଷ୍ଟ୍ରକ୍ଚରାଲ୍‌ ଷ୍ଟିଲ୍‌ ଉତ୍ପାଦନ ୟୁନିଟ୍‌, ଅନୁଗୋଳରେ ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ ସୁଭଦ୍ରା କୋଲ୍‌ ମାଇନ୍ସ ପାଇଁ ଏକ ପ୍ରାଇଭେଟ୍‌ ରେଲ୍‌ୱେ ସାଇଡିଂର ବିକଶିତ କରିବ। ଏହା ବର୍ତ୍ତମାନର ଅନୁଗୋଳ-ବଳରାମ ସାଇଡିଂ ଏବଂ ପ୍ରସ୍ତାବିତ ଗୋପାଳପ୍ରସାଦ ଷ୍ଟେଶନ ସହ ସଂଯୋଗ ହେବ। ପ୍ରକଳ୍ପରେ ୪୦୫.୩୫ କୋଟି ଟଙ୍କା ନିବେଶ ହେବ ଏବଂ ୨୯ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି।

Breaking News