Report Card Odisha

| Daily Odia News

କୃଷକ ସଂଗଠନର ପଞ୍ଜାବ ବନ୍ଦ ଡାକରା,୧୫୦ ଟ୍ରେନ ବାତିଲ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚାଷୀ ଆନ୍ଦୋଳନ ମଧ୍ୟରେ ଆଜି ପଞ୍ଜାବ ବନ୍ଦ ଡାକରା ଦେଇଛନ୍ତି ଏକାଧିକ କୃଷକ ସଂଗଠନ। ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚା ଭଳି ସଂଗଠନ ପକ୍ଷରୁ ଆଜି ପଞ୍ଜାବରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂହ ଡଲ୍ଲେୱାଲଙ୍କୁ ସମର୍ଥନ କରି ଏକାଧିକ ଦାବିରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ। ଫଳରେ ସାରା ରାଜ୍ୟରେ ରାସ୍ତାଘାଟ ବନ୍ଦ ହେବା ସହ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଆଜି, ୩୦ ଡିସେମ୍ବର(ସୋମବାର) ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ବନ୍ଦ ଡାକରା ଦେଇଛନ୍ତି ଏକାଧିକ କୃଷକ ସଂଗଠନ। ସବୁଠାରୁ ବଡ଼ କଥା ହେଉଛି ୩୫ ଦିନ ହେବ ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂହ ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଅବନତୀ ଘଟୁଛି। ପଞ୍ଜାବ ସରକାର ମନାଇବାକୁ ଚେଷ୍ଟା କରିବା ସତ୍ତ୍ୱେ ସେ ଚିକିତ୍ସା ପାଇଁ ରାଜି ହେଉନାହାନ୍ତି। ଅନ୍ୟପଟେ ଚାଷୀ ନେତା ସରବନ ସିଂହ ପଂଧେର କହିଛନ୍ତି ଯେ, ଏହି ବନ୍ଦଙ୍କୁ ସମର୍ଥନ କରିବାକୁ ଆମେ ତିନି କୋଟି ପଞ୍ଜାବବାସୀଙ୍କୁ ଅନୁରୋଧ କରିଥିଲୁ। ଆମେ ଜୋର କରି କାହାର ଦୋକାନ ବା ସଂସ୍ଥାକୁ ବନ୍ଦ କରିନାହୁଁ। ହେଲେ ସମସ୍ତେ ନିଜ ଇଛାରେ ସବୁ ବନ୍ଦ କରି ଆମକୁ ସମର୍ଥନ କରିଛନ୍ତି। ଏବେ ପର୍ଯ୍ୟନ୍ତ ବନ୍ଦ ସଫଳ ରହିଛି। ଆମେ ପଞ୍ଜାବକୁ ଚାରିପଟରୁ ଆସୁଥିବା ଟ୍ରେନ ସେବାକୁ ବନ୍ଦ କରିଛୁ। ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳ ଧାରଣା ବନ୍ଦ ରହିବ। ପଞ୍ଜାବବାସୀ ନିଜ ହୃଦୟରୁ ସମର୍ଥନ କରି ଏହି ବନ୍ଦ ପାଳନ କରୁଛନ୍ତି। ତେବେ ବନ୍ଦ ପାଳନ ବେଳେ ହିଂସା ହେଉ ବୋଲି ସରକାର ଚାହୁଁଥିବା କହିଛନ୍ତି ସରବନ ସିଂହ। ତେଣୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସଫଳ କରିବା ପାଇଁ ସେ ପଞ୍ଜାବର ଯୁବବର୍ଗଙ୍କୁ ଅନୁରୋଧ କରିଛନ୍ତି। ବନ୍ଦ ବେଳେ ମେଡିକାଲ ଓ ଅନ୍ୟ ଜରୁରୀକାଳିନ ସେବା ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ଚାଷୀ ନେତା। ଏପରିକି ବିବାହ ବରଯାତ୍ରୀକୁ ମଧ୍ୟ ଅଟକାଯିବ ନାହିଁ। ସେହିଭଳି ଚାକିରି ପାଇଁ ଇଣ୍ଟର୍ଭ୍ୟୁ ଦେବାକୁ ଯାଉଥିବା ଯୁବବର୍ଗଙ୍କୁ କେଉଁଠାରେ ମଧ୍ୟ ଅଟକାଯିବ ନାହିଁ। କିଛିମାତ୍ରାରେ ସରକାରୀ କାର୍ଯ୍ୟାଳୟ ଓ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିଛି। ସେପଟେ ପଞ୍ଜାବ ଟ୍ରକ ଡ୍ରାଇଭର ସଂଘ ଓ ଲୁଧିଆନା ଟ୍ରାନ୍ସପୋର୍ଟ ଡିଲର ସଂଘ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅପରାହ୍ନ ୪ଟା ପର୍ଯ୍ୟନ୍ତ ସେବା ବନ୍ଦ ରଖିଛନ୍ତି।

Breaking News