Report Card Odisha

| Daily Odia News

ମୁଦ୍ରାସ୍ଫୀତିକୁ ଆମେ ଅସ୍ବୀକାର କରୁନୁୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଦେଖାଯାଇଥିବା ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତିକୁ​‌ ସରକାର କିମ୍ବା ଅନ୍ୟ କେହି ଅସ୍ବୀକାର କରୁ ନାହାନ୍ତି । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ପାଇଁ ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପଦକ୍ଷେପ ନେଉଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ଦରବୃଦ୍ଧି ପ୍ରସଙ୍ଗ ଆଲୋଚନା କାଳରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତର ଅର୍ଥନୀତିର ଭିତ୍ତିଭୂମି ଦୃଢ ରହିଛି। ଏହା ଅନ୍ୟ ରାଷ୍ଟ୍ର ତୁଳନାରେ ଉନ୍ନତ ସ୍ଥିତିରେ ରହିଛି । ଏହାର ଅର୍ଥ ନୁହେଁ ଯେ ସରକାର ଆର୍ଥିକ ଦୁଃସ୍ଥିତିରୁ ଦୂରେଇ ଯାଉଛନ୍ତି । ବିଶ୍ବବ୍ୟାପୀ ଦରଦାମ ବୃଦ୍ଧି ପାଇଥିବାରୁ ଆମଦାନୀ ହେଉଥିବା ସାମଗ୍ରୀର ମୂଲ୍ୟ ଅଧିକ ରହୁଛି। ଏଥିପାଇଁ ଦେଶରେ ଦରଦାମ ବୃଦ୍ଧିର ପ୍ରଭାବ ପଢୁଛି। ଦେଶର ମୁଦ୍ରାସ୍ଫୀତି ଏବେ ୭%ରୁ ସାମାନ୍ୟ ଅଧିକ ରହିଛି। ଏହାକୁ ୭% ତଳକୁ ରଖିବା ଲାଗି ସରକାର ଓ ଆରବିଆଇ ପଦକ୍ଷେପ ନେଉଛନ୍ତି। ଆଉ ଆମେ ନିଶ୍ଚିତ ଯେ ଆଗାମୀ ଦିନରେ ଏହି ମୁଦ୍ରାସ୍ଫୀତିକୁ ୬% ତଳକୁ ଆଣିବା ଦିଗରେ ସଫଳ ହେବୁ। ତେବେ ମୁଦ୍ରାସ୍ଫୀତିକୁ ନେଇ ବିରୋଧୀ ଦଳଗୁଡିକ ଯେଉଁ ରାଜନୀତି କରୁଛନ୍ତି ତାକୁ ସୀତାରମଣ ସମାଲୋଚନା କରିଛନ୍ତି। ମୁଦ୍ରାସ୍ଫୀତି ଯୋଗୁଁ ପ୍ରଭାବିତ ଲୋକଙ୍କ ସହିତ ସରକାର ନିୟମିତ ଆଲୋଚନା ଚଳାଇଛନ୍ତି। ମାତ୍ର ବିରୋଧୀ ଦଳଗୁଡିକ ସରକାରଙ୍କୁ ସମାଲୋଚନା କରିବା ବ୍ୟତୀତ ଗରିବଙ୍କ ନିମନ୍ତେ କିଛି କରିବାର ପ୍ରୟାସ କରୁ ନାହାନ୍ତି। ବିରୋଧୀ ଦଳଗୁଡିକ ନିୟମିତ ଅଭିଯୋଗ କରିଆସୁଛନ୍ତି ଯେ ସରକାର ଅମ୍ବାନୀ ଓ ଅଦାନୀଙ୍କ ପାଇଁ କାମ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସୀତାରମଣ କହିଛନ୍ତି ଯେ କରୋନା ସଂକ୍ରମିତ ହୋଇଥିବା କାରଣରୁ ସେ ମୌସୁମୀ ଅଧିବେଶନ ଆରମ୍ଭରୁ ଉପସ୍ଥିତ ରହିପାରି ନଥିଲେ। ଯଦି ସେ କରୋନା ସଂକ୍ରମିତ ହୋଇ ନଥାନ୍ତେ ତେବେ ଆରମ୍ଭରୁ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ଉତ୍ତର ଦେଇଥାନ୍ତେ। ସୀତାରମଣ ଆଜି ରାଜ୍ୟସଭାରେ କହିଛନ୍ତି ଯେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଜିଏସଟି ଲାଗୁ ହେବ ନାହିଁ। ମାସିକ ୧୦ଥର ଟଙ୍କା ଉଠାଣ କ୍ଷେତ୍ରରେ ଜିଏସଟି ଲାଗୁ ହେବ ନାହିଁ। ସେହିପରି ଏଟିଏମ୍‌ରୁ ଟଙ୍କା ଉଠାଣ ସମ୍ପୂର୍ଣ୍ଣ ଜିଏସଟି ମୁକ୍ତ।

Breaking News