ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ ଭାଇ ପ୍ରହ୍ଲାଦ ମୋଦି। ସରକାରଙ୍କ ଆଗରେ ବିଭିନ୍ନ ଦାବି ଉପସ୍ଥାପନ କରି ନ୍ୟାୟ ପାଇବା ଦାବିରେ ସେ ଧାରଣା ଦେଇଛନ୍ତି। ଅଲ ଇଣ୍ଡିଆ ଫେୟାର ପ୍ରାଇସ ଶପ ଡିଲର୍ସ ଫେଡରେସନ ବା ସର୍ବ ଭାରତୀୟ ଉଚିତ ମୂଲ୍ୟ ଦୋକାନ ଡିଲର ମହାସଂଘ ପକ୍ଷରୁ ମଙ୍ଗଳବାର ଦିଲ୍ଲୀର ଯନ୍ତରମନ୍ତର ଠାରେ ଧାରଣା ଦିଆଯାଇଥିଲା। ଏହାର ଉପ ସଭାପତି ହେଉଛି ପ୍ରହ୍ଲାଦ ମୋଦି। ତେଣୁ ସେ ମଧ୍ୟ ମହାସଂଘର ଅନ୍ୟ ସଦସ୍ୟମାନଙ୍କ ଭଳି ଧାରଣା ଦେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି। ପ୍ରହ୍ଲାଦ ମୋଦି କହିଛନ୍ତି, “ଆମ ମହାସଂଘର ପ୍ରତିନିଧି ମଣ୍ଡଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ମାରକପତ୍ର ଦେବ। ଦୀର୍ଘ ଦିନ ହେଲା ସଂଗଠନ କରି ଆସୁଥିବା ଦାବିକୁ ଅଣଦେଖା କରାଯାଉଛି। ବର୍ତ୍ତମାନ ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି ପାଉଛି। ଦୋକାନ ଚଳାଇବା ପାଇଁ ଖର୍ଚ୍ଚ ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଛି। ହେଲେ ଆମ ଭାଗକୁ ମାତ୍ର କେଜି ପିଛା ୨୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ପାଇଁ ନିବେଦନ କରୁଛୁ। ବୁଧବାର ମହାସଂଘ ତା’ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛି। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହାପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।”






More Stories
ଆଣ୍ଠେଇ ମୁଣ୍ଡିଆ ମାରିଲେ ମୋଦୀ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍…..