Report Card Odisha

| Daily Odia News

ବନ୍ଦରରେ ନିଆଁ, ୨୫ ବୋଟ୍ ପୋଡି ପାଉଁଶ…..

 ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାଇଜାଗ ମତ୍ସ୍ୟଜୀବୀ ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଆନ୍ଧ୍ରପ୍ରଦେଶର ଭାଇଜାଗ ବନ୍ଦର ମୁହାଣରେ ଥିବା ୨୫ରୁ ଅଧିକ ବୋଟ୍ ପୋଡି ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ପୋଡି ଯାଇଥିବା ସମସ୍ତ ବୋଟ୍ ମତ୍ସ୍ୟଜୀବୀ ବୋଟ୍ ବୋଲି ଜଣାପଡିଛି। ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ପୁଲିସର କହିବା ଅନୁସାରେ, ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ପାଖକୁ ପାଖ ଲାଗି ରହିଥିବା ଅନ୍ୟ ସବୁ ବୋଟକୁ ବ୍ୟାପି ଯାଇଥିଲା। ଡଙ୍ଗାରେ ଏଲପିଜି ସିଲିଣ୍ଡର ଥିବାରୁ ଖୁବ୍ ଶୀଘ୍ର ନିଆଁ ବ୍ୟାପିଯିବା ସହ ସିଲିଣ୍ଡର ଫାଟି ବିରାଟ ବିସ୍ଫୋରଣ ଘଟିଥିଲା। ସିଲିଣ୍ଡରଗୁଡିକ ଏପରି ବିସ୍ଫୋରିତ ହୋଇଥିଲା ଯେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାର ପ୍ରକୃତ କାରଣ ଜଣାପଡିନାହିଁ। ଡେପୁଟି ପୁଲିସ କମିଶନର କେ ଆନନ୍ଦ ରେଡ୍ଡୀ କହିଛନ୍ତି, ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚାରିରୁ ଅଧିକ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜୀବନ ହାନିର କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ। ନିଆଁକୁ ଆୟତ୍ତକୁ ଅଣାଯିବା ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ। ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ, ଏହି ଅଗ୍ନିକାଣ୍ଡରେ ପ୍ରାୟ 40 ଟି ମତ୍ସ୍ୟଜୀବୀ ବୋଟର କ୍ଷତି ଘଟିଛି। ବୋଟ୍ ପିଛା ଅତି କମରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେହି ଦୁର୍ବୃତ୍ତ ଏହି ଅଗ୍ନିକାଣ୍ଡ ଘଟାଇଥିବା ସେମାନେ ସନ୍ଦେହ କରୁଛନ୍ତି। ନିକଟରେ ମଧ୍ୟ ଆନ୍ଧ୍ରପ୍ରଦେଶର ବାପାଟଲା ଜିଲ୍ଲାର ନିଜାମପାଟନମ୍ ବନ୍ଦରରେ ଯାନ୍ତ୍ରିକ ମତ୍ସ୍ୟଜୀବୀ ଡଙ୍ଗାରେ ନିଆଁ ଲାଗିଯିବା ପରେ ଦୁଇ ଜଣ ଆହତ ହୋଇଥିଲେ।

Breaking News