ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅରବିନ୍ଦ କୁମାର ଶର୍ମାଙ୍କୁ ମିଳିଛି ବିଜେପିର ଉତ୍ତର ପ୍ରଦେଶର ଉପ ସଭାପତି ପଦ। ସେ ଆଇଏଏସରୁ ଇସ୍ତଫା ଦେଇ ରାଜନୀତିକୁ ଆସିବା ପରେ ଫେବୃଆରୀରେ ତାଙ୍କୁ ବିଧାନ ପରିଷଦକୁ ନିର୍ବାଚିତ କରାଯାଇଥିଲା । ଗତ କିଛି ସମୟ ଧରି ତାଙ୍କୁ ଯୋଗୀ ଅଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବା ଏବଂ ଉପ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏମଏଲସି ହେବା ପରେ ଉତ୍ତର ପ୍ରଦେଶରେ ଖୁବ୍ ସକ୍ରିୟ ଥିଲେ ଏକେ ଶର୍ମା । ବିଭିନ୍ନ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ଅଭିଯାନରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ କରୋନାକୁ ନିୟନ୍ତ୍ରଣ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଥିଲା। ଅରବିନ୍ଦ କୁମାର ଶର୍ମା ହେଉଛନ୍ତି ୧୯୮୮ ବ୍ୟାଚ୍ର ଗୁଜରାତ କ୍ୟାଡରର ଆଇଏଏସ ଅଫିସର। ୨୦୨୧ ଜାନୁଆରୀ ୧୪ରେ ସେ ଲକ୍ଷ୍ନୌରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। ଏକେ ଶର୍ମାଙ୍କ ବ୍ୟତୀତ ଆଉ କିଛି ନେତାଙ୍କୁ ପାର୍ଟିରେ ନୂତନ ଦାୟିତ୍ଵ ଦିଆଯାଇଛି। ବିଜେପି ମୁଖପାତ୍ର ମନୀଷ ଶୁକ୍ଳା କହିଛନ୍ତି, ଏହି ସବୁ ନିଯୁକ୍ତିରେ ପାର୍ଟି ସଂଗଠନ ଆହୁରି ଦୃଢ ହେବ। ବିଶେଷ କରି ଏକେ ଶର୍ମା ମଉରୁ ଆସିଛନ୍ତି। ସେଠାରେ ତାଙ୍କର ପତିଆରା ବହୁତ ଭଲ ରହିଛି। ଏଥିରେ ପାର୍ଟିକୁ ଆହୁରି ଫାଇଦା ମିଳିବ। ପୂର୍ବାଞ୍ଚଳରେ ବିଜେପି ଆହୁରି ସଶକ୍ତ ହେବାରେ ବେଶ୍ ସହାୟତା ମିଳିବ। ସେ ଦୀର୍ଘ ବର୍ଷ ଧରି ପ୍ରଶାସନିକ ପଦରେ ରହିଥିଲେ, ତାଙ୍କର ଏହି ଅନୁଭବ ପାର୍ଟିକୁ ମିଳିବ ବୋଲି ଶୁକ୍ଳା କହିଛନ୍ତି। ଏକେ ଶର୍ମାଙ୍କ ବ୍ୟତୀତ ଦୁଇ ଜଣଙ୍କୁ ରାଜ୍ୟ ସଂପାଦକ ଭାବେ ନିଯୁକ୍ତ କରାଯାଇଛି। ଲକ୍ଷ୍ନୌର ଅର୍ଚ୍ଚନା ମିଶ୍ର ଓ ବୁଲନ୍ଦସହର ଅମିତ୍ ବାଲ୍ମିକୀଙ୍କୁ ରାଜ୍ୟ ସଂପାଦକ କରାଯାଇଥିବା ନେଇ ସୂଚନା ମିଳିଛି ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..