ରିପୋର୍ଟ କାର୍ଡ / ଗୁଜରାଟ
କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ରୋଗୀ ଆହତ ହୋଇଛନ୍ତି | ଗୁଜରାଟର ଭରୁଚର ଏକ କୋଭିଡ ହସ୍ପିଟାଲରେ ଏଭଳି ଘଟଣା ଘଟିଛି | ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଏଯାବତ ଅସ୍ପଷ୍ଟ ରହିଛି। ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ନେଇ ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ସ୍ଥାନୀୟ ପୁଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୬ ଜଣ କରୋନା ରୋଗୀଙ୍କ ସହ ହସ୍ପିଟାଲର ୨ ଜଣ ନର୍ସଙ୍କ ମଧ୍ୟ ମୃତ୍ୟୁ ହୋଇଛି। ପ୍ରାୟ ୫୦ ଜଣଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏକ ଆଇସିୟୁରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା ଓ ଅନ୍ୟ ଆଇସିୟୁକୁ ବ୍ୟାପି ଯାଇଥିଲା। ତେବେ ଆଇସିୟୁ ଥିବା ମହଲରେ ଧୂଆଁ ଭର୍ତ୍ତି ହୋଇ ଯିବାରୁ ନିଜକୁ ବଞ୍ଚାଇବା ପାଇଁ ସେଠାରେ କାର୍ଯ୍ୟରତ ୨ ଜଣ ନର୍ସ ଏକ କୋଠରୀ ଭିତରକୁ ପଳାଇ ଯାଇଥିଲେ ତେବେ ଅତ୍ୟଧିକ ଧୂଆଁ ଯୋଗୁ ଅଣନିଶ୍ୱାସୀ ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଅନ୍ୟ ପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।






More Stories
ଜାପାନରେ ଭୂକମ୍ପ:ସୁନାମି ଚେତାବନୀ…..
ଇ-୨୦ ଇନ୍ଧନ ନୀତିକୁ ବିରୋଧ:୪ରେ ସଂସଦ ଅଭିମୁଖେ ଶୋଭାଯାତ୍ରା…..
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..