ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ସମସ୍ତଙ୍କର ପ୍ରିୟ ସ୍ନାକ୍ସ ଦେଶୀ କମ୍ପାନି ‘ହଲଦୀରାମ୍’ ବିଦେଶୀ କମ୍ପାନି ହାତକୁ ଯାଇପାରେ। ବିଦେଶର କିଛି ସଂସ୍ଥା ମିଶି ଏହାର ୭୬ ପ୍ରତିଶତ ଅଂଶଧନ କିଣିବାକୁ ବିଡ୍ ଉପସ୍ଥାପନ କରିଛନ୍ତି। ସେଥିରେ ପ୍ରାଇଭେଟ୍ ଇକ୍ବିଟି ସଂସ୍ଥା ବ୍ଲାକ୍ଷ୍ଟୋନ୍, ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି ଓ ସିଙ୍ଗାପୁରର ଜିଆଇସି ରହିଛନ୍ତି। ୧୯୩୭ରେ ରାଜସ୍ଥାନର ବିକାନେରରେ ଏକ ମିଠାଦୋକାନ ଭାବେ ହଲ୍ଦୀରାମର ଯାତ୍ରା ଆରମ୍ଭ ହୋଇଥିଲା। ଶିବକିଷନ ଅଗ୍ରୱାଲ୍ ଏହାକୁ ଆରମ୍ଭ କରିଥିଲେ। ବର୍ତ୍ତମାନ କମ୍ପାନିର ଉତ୍ପାଦ ଭାରତ ସମେତ ୮୦ଟି ଦେଶରେ ଉପଲବ୍ଧ ହେଉଛି। ହଲ୍ଦୀରାମ ଦୁଇଟି ଭାଗରେ ଅଗ୍ରୱାଲ୍ ପରିବାରର ଦୁଇଟି ବର୍ଗ ଦ୍ବାରା ପରିଚାଳିତ ହେଉଛି। ନାଗପୁରରେ ରହୁଥିବା ପରିବାରର ଲୋକମାନେ ହଲ୍ଦୀରାମ୍ ଫୁଡ୍ସ ଇଣ୍ଟରନ୍ୟାସନାଲ୍ର ଦେଖାଶୁଣା କରୁଛନ୍ତି। ଦିଲ୍ଲୀରେ ରହୁଥିବା ସଦସ୍ୟମାନେ ହଲ୍ଦୀରାମ ସ୍ନାକ୍ସର ପରିଚାଳନା କରୁଛନ୍ତି। ନାଗପୁରର ସଂସ୍ଥା ୨୦୨୧-୨୨ରେ ୩,୬୨୨ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଥିବା ବେଳେ ଦିଲ୍ଲୀର ସଂସ୍ଥା ୫୨୪୮ କୋଟି ଟଙ୍କା ସଂଗ୍ରହ କରିଛି। ଏହି ଦୁଇ ସଂସ୍ଥାର ମିଶ୍ରଣ ହେବାକୁ ଯାଉଛି। ସେହି ପ୍ରସ୍ତାବକୁ ଜାତୀୟ କମ୍ପାନି ଲ’ ଟ୍ରିବ୍ୟୁନାଲ୍ ମଞ୍ଜୁର କରିଛନ୍ତି। ମିଶ୍ରଣ ଶେଷ ହେବା ପରେ ଯେଉଁ ସଂସ୍ଥା ସୃଷ୍ଟି ହେବ ତାହାର ଅଂଶଧନକୁ ବ୍ଲାକ୍ଷ୍ଟୋନ୍ ଓ ଅନ୍ୟମାନେ କିଣିବେ। ‘ହଲ୍ଦୀରାମ୍’କୁ ଅଧିଗ୍ରହଣ କରିବା ଲାଗି ବିଦେଶୀ ସଂସ୍ଥା ଦ୍ବାରା ଏହା ପ୍ରଥମ ଉଦ୍ୟମ ନୁହେଁ। ଏହା ପୂର୍ବରୁ ବେନ୍ କ୍ୟାପିଟାଲ୍, ୱାରବର୍ଗ ପିନ୍କସନ୍ ଓ ଜେନେରାଲ୍ ଆଟଲାଣ୍ଟିକ୍ ମଧ୍ୟ ଉଦ୍ୟମ କରିଥିଲେ।






More Stories
KYC ବିନା ଚାଲିବନି ଫେସବୁକ୍-ଇନଷ୍ଟାଗ୍ରାମ !…..
ନଦୀକୁ ଖସିଲା ବସ୍,୨୩ ମୃତ…..
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..