ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ଷାର ପରିମାଣ ବଢିବା ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ମୌସୁମୀ ବାୟୁ ଶ୍ରୀଗଙ୍ଗାନଗର, ଉତ୍ତରପ୍ରଦେଶଠାରୁ ଉତ୍ତରପୂର୍ବ ବଙ୍ଗୋପସାଗର ମଧ୍ୟରେ ରହିଛି। ଫଳରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛିକିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ ପାରଦ କିନ୍ତୁ ଉପରମୁହଁା ରହିଛି। ଫଳରେ ଖରାଦିନ ଭଳି ଟାଣଖରା ସାଙ୍ଗକୁ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି। ସେହିପରି ଚଳିତବର୍ଷ ମୌସୁମୀ ଋତୁ ଆରମ୍ଭ ଅର୍ଥାତ୍ ଜୁନ ୧ରୁ ଏଯାବତ ମୋଟ ୧୧୭୯.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବର୍ଷାର ପରିମାଣ ୯୮୪.୯ ମିଲିମିଟର ରହିଥିବାବେଳେ ରାଜ୍ୟରେ ସମୁଦାୟ ବର୍ଷା ସ୍ବାଭାବିକ ବର୍ଷାଠାରୁ ୨୦ ପ୍ରତିଶତ ଅଧିକ ରହିଛି। ଏଥିସହ ୧୧ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା, ୧୬ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ଓ ଗୋଟିଏ ଜିଲ୍ଲାରେ ଅତ୍ୟନ୍ତ ଅଧିକ ବର୍ଷା ହୋଇଛି। ଗଜପତି ଓ ନବରଙ୍ଗପୁର ଜିଲ୍ଲାର ଏବେ ବି ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।






More Stories
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ…..
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ…..
୧୮ ପ୍ରସ୍ତାବ କୁ କ୍ୟାବିନେଟ୍ ମଞ୍ଜୁରୀ…..