ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଶୁକ୍ରବାର ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି କରିଛି। ଲଘୁଚାପଜନିତ ପ୍ରବଳ ବର୍ଷା ନେଇ ରାଜ୍ୟରେ ସତର୍କତା ଜାରି କରାଯାଇଛି। ଆଜି ଅତି ପ୍ରବଳ ବର୍ଷା ନେଇ ରାଜ୍ୟର ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୁଳ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷେ ବର୍ଷା ମୁକାବିଲା ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତଳିଆ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ୨୭ଟି ସମ୍ବେଦନଶୀଳ ସ୍ଥାନକୁ ଫୋକସରେ ରଖାଯାଇଛି। ଭୁବନେଶ୍ୱରରେ ୧୦ଟି ମୁଖ୍ୟ ଡ୍ରେନ୍ କାମ ସରିଛି। ୩ଟି ଲିଙ୍କ୍ ଡ୍ରେନରୁ ୨ଟିର କାମ ସରିଥିବାବେଳେ ବାକି କାମ ଆସନ୍ତା ୧୫ ତାରିଖରେ ସରିବ ବୋଲି କହିଛନ୍ତି ବିଏମସି କମିଶନର ସଂଜୟ ସିଂ। ଏହାସହିତ ବିଏମସି ପକ୍ଷରୁ ୨ଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଅଗ୍ନିଶମ ଓ ବିଏମସି ପକ୍ଷରୁ ପମ୍ପ୍ ସେଟ୍ ମହଜୁଦ ଥିବା ସେ କହିଛନ୍ତି। ଏହାସହିତ ଏନଏଚଏଆଇର ଥିବା ୩ଟି ସ୍ଥାନକୁ ସର୍ବେକ୍ଷଣ କରି ବ୍ୟବସ୍ଥା କରାଯାଇଛି। ସବୁପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ବିଏମସି କମିଶନର।
More Stories
କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍….
ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ…..
୨୪ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି …..