Report Card Odisha

| Daily Odia News

ରାଜ୍ୟରେ ତାଣ୍ଡବ ରଚିଲା କାଳବୈଶାଖୀ ବର୍ଷା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଅପରାହ୍ଣ ୧୨ଟା ପରେ ହଠାତ୍‌ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଜୋରରେ ବର୍ଷା ପବନ ସାଙ୍ଗକୁ ବଜ୍ରପାତ ମଧ୍ୟ ହୋଇଥିଲା । ବଜ୍ରାଘାତରେ ରାଜ୍ୟର ୨ଟି ସ୍ଥାନରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଜୋରରେ ପବନ ବହିବା ଯୋଗୁ କଟକ ରିଂ ରୋଡ୍‌ରେ ଥିବା କିଛି ଗଛ ଭାଙ୍ଗି ଯାଇଥିବା ସୂଚନା ମିଳିଛି। କଟକରେ କାଳବୈଶାଖୀ କାଳବୈଶାଖୀ ବର୍ଷା ଓ ପବନରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଘର ଭାଙ୍ଗି ଛାର୍‌ଖାର୍‌ ହୋଇଯାଇଛି। କଟକ ମାଲଗୋଦାମ ବେହେରା ସାହିରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ସିଏମସି ପକ୍ଷରୁ ଟେଣ୍ଟ କରାଯାଇ ଥଇଥାନ କରାଯାଇଥିଲା। ତେବେ ଆଜି କାଳବୈଶାଖୀ ବର୍ଷାରେ ଟେଣ୍ଟ ସବୁ ଉଡେଇ ଦେବା ସହ ଟେଣ୍ଟ ଭିତରେ ପାଣି ପଶି ଯାଇଥିଲା। କିଛି ଶିଶୁ ଚାପି ହୋଇ ରହିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଆହତଙ୍କୁ ମେଡିକାଲ ପଠାଇ ଦିଆଯାଇଛି। ତେବେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ମଧୁପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ବସ୍ତି ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ପୋଲିସ ଉପରକୁ ଉତ୍ତ୍ୟକ୍ତ ଲୋକେ ଢେଲାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ବଜ୍ରାଘାତରେ ବଲାଙ୍ଗିର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗରୁତର ଆହତ ହୋଇଛନ୍ତି।ଶ୍ରୀମନ୍ଦିରରେ ଅଘଟଣ। କାଳବୈଶାଖୀ ବର୍ଷା ପବନ ନୀଳଚକ୍ର ବାନା ବାଉଁଶ ଭାଙ୍ଗିପଡ଼ିଛି। କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରାୟ ଅଧଘଣ୍ଟା ପବନ ସହ ବର୍ଷା ଏହି ବାନା ବାଉଁଶ ଭାଙ୍ଗିପଡ଼ିଥିଲା। ତେବେ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନଥିବା କହିଛନ୍ତି ସେବାୟତ। ସେହିପରି ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ବଜ୍ରାଘାତରେ ବଡ଼ ଯାଆଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଯାଆ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରକାନୀ ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟଣା ଘଟିଛି। ଗାଁର ପାଣିବୁଡି ମେଶ୍ୱା ଓ ଭୂମିସୁତା ମେଶ୍ୱା ଦୁହେଁ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ହଠାତ୍‌ ଝଡ଼ତୋଫାନ ସହ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ହିଁ ପାଣିବୁଡିଙ୍କ ମୃତ୍ୟୁ ହୋଇଥିବାବେଳେ ଭୂମିସୂତା ମେଶ୍ୱାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ପାଣିବୁଡିଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପାଟଣାଗଡ ଅଞ୍ଚଳର ଏକ ଫଡିଘର ବଜ୍ରାଘାତରେ ଜଳି ଯାଇଛି। ଡଙ୍ଗିଆବାହାଲ ଗାଁର କେନ୍ଦୁପତ୍ର ଫଡିଘର ହଠାତ୍‌ ବଜ୍ରାଘାତରେ ହୁହୁ ହୋଇ ଜଳି ଯାଇଥିଲା। ଫଡି ଭିତରେ ଥିବା ପ୍ରାୟ ହଜାରେ ଚଟା କେନ୍ଦୁପତ୍ର ପୋଡ଼ି ଯାଇଥିବା ଅନୁମାନ କରାଯାଉଛି। ସେହି ପରି ବରଗଡ , ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି।

Breaking News