ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆଗାମୀ ୨ ଦିନରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼, ଝାରସୁଗୁଡା, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ନିଂ ଦିଆଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ବରଗଡ଼, ଢେଙ୍କାନାଳ, ସୋନପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ନିଂ ଜାରି ହୋଇଛି। ଶୁକ୍ରବାର ମଧ୍ୟ ସମ୍ୱଲପୁର ଓ ଅନୁଗୋଳ ଜିଲାକୁ ପ୍ରବଳରୁ ଅତି ପ୍ରବଳ ଏବଂ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁବର୍ଣ୍ଣପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ଏହି ସମୟରେ ସମୁଦ୍ର ଆଶାନ୍ତ ରହିବ। ତେଣୁ ୧୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।






More Stories
୯ରୁ ବଡ଼ ବର୍ଷା !…..
ରାଜ୍ୟରେ ପ୍ରାୟ ୧୦ ଲକ୍ଷ ନିଯୁକ୍ତି ସୁଯୋଗ…..
ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍ ମାମଲା;ସିବିଆଇ ତଦନ୍ତ ଦାବି ….