Report Card Odisha

| Daily Odia News

ଜେଲରେ କରୋନା ସ୍ଥିତି ବିପଦ ଜନକ,ତୁରନ୍ତ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରନ୍ତୁ ସରକାର:ହାଇକୋର୍ଟ….

ରିପୋର୍ଟ କାର୍ଡ / କଟକ

କରୋନା ମହାମାରୀ ସମୟରେ ଜେଲରେ ଉଦ୍ବେଗ ଜନକ ସ୍ଥିତି ଦେଖିବାକୁ ମିଳିଛି | ରାଜ୍ୟର ୬ଟି ଜେଲ୍‌ରେ କଏଦୀଙ୍କ ପାଇଁ ଜାଗା ନଥିବା ନେଇ ସୂଚନା ମିଳିଛି । ଜେଲ ଗୋଡ଼ିକରେ କଏଦୀ ଧାର୍ଯ୍ୟ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ରହିଛନ୍ତି । ଫୁଲବାଣୀ ଜିଲ୍ଲା ଜେଲ୍‌, ଭଦ୍ରକ ସ୍ୱତନ୍ତ୍ର ଉପଜେଲ୍‌, ଯାଜପୁର, ନୟାଗଡ, ପାରଳାଖେମୁଣ୍ଡି ଏବଂ ମାଲକାନାଗିରିର ଉପଜେଲ୍‌ରେ ଏତେ ସଂଖ୍ୟକ କଏଦୀ ରହିଛନ୍ତି ଯାହାକି ସ୍ଥିତି ଅସମ୍ଭାଳ ହେଲାଣି । ଏନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ସମସ୍ୟାର ସମାଧାନ ପାଇଁ ତୁରନ୍ତ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ସୁଦ୍ଧା ସରକାର ଏନେଇ ଯୋଜନା ଦାଖଲ କରିବେ ବୋଲି କୃଷ୍ଣ ପ୍ରସାଦ ସାହୁଙ୍କ ପକ୍ଷରୁ ଦାଏର ଏକ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ବିଚାରପତି ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ଅଦାଲତଙ୍କୁ ଜେଲ୍‌ ସ୍ଥିତି ସଂପର୍କରେ ଅବଗତ କରାଯାଇଥିଲା । ଉଦାହରଣ ଭାବେ ଭଦ୍ରକ ଉପଜେଲ୍‌ରେ କଏଦୀଙ୍କ ସ୍ଥିତି ଭୟଙ୍କର ରହିଛି। ଏହି ଜେଲ୍‌ରେ ଯେଉଁଠି ୧୬୬ ଜଣ କଏଦୀ ରହିବା କଥା ସେଠାରେ ୪୩୦ ଜଣ ବନ୍ଦୀ ଅଛନ୍ତି । କରୋନା ଭଳି ସମୟରେ ଏତେ ସଂଖ୍ୟକ କଏଦୀ ଗୋଟିଏ ଗୋଟିଏ ଜେଲ୍‌ରେ ରହିବା ଦ୍ୱାରା ଏହା ଉଭୟ କଏଦୀ ଏବଂ ଜେଲ୍‌ କର୍ମଚାରୀଙ୍କ ପାଇଁ ବିପଦ ଆଣିପାରେ ବୋଲି ଆମିକସ୍‌କ୍ୟୁରୀ ଗୌତମ ମିଶ୍ର ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ରିପୋର୍ଟ ଉପରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ହାଇକୋର୍ଟ କହିଛନ୍ତି, ଉପରୋକ୍ତ ଜେଲ୍‌ରେ ଥିବା ଅଧିକ ସଂଖ୍ୟକ କଏଦୀଙ୍କୁ ଅନ୍ୟ କୋଠାକୁ ପର୍ଯ୍ୟାୟକ୍ରମେ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ । ରାଜ୍ୟ ସରକାରଙ୍କର ଥିବା ଅନ୍ୟାନ୍ୟ କୋଠାକୁ ଉନ୍ନତିକରଣ କରାଯାଇ ସେଠାରେ ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯିବା ଆବଶ୍ୟକ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ବେଳେ ଏହି କଥା ପ୍ରତି ଦୃଷ୍ଟି ଦେବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ ଜେଲ୍‌ ସଂସ୍ଥାର ପାଇଁ ହାଇକୋର୍ଟ ଯେଉଁସବୁ ଆଦେଶ ଦେଇଥିଲେ ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ସେସବୁ ସଂକ୍ରାନ୍ତରେ ସତ୍ୟପାଠ ଜରିଆରେ ଜବାବ ରଖିବାକୁ ହାଇାକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସତ୍ୟପାଠ ମାମଲା ଶୁଣାଣିର ଗୋଟିଏ ସପ୍ତାହ ପୂର୍ବରୁ ଦେବାକୁ କୁହାଯାଇଛି । ଏହି ମାମଲାରେ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ହାଇକୋର୍ଟରେ ଦୁଇଟି ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । ଗୋଟିଏ ରିପୋର୍ଟରେ ଜାମିନ୍‌ ପାଇବା ସତ୍ତେ୍ୱ କିପରି କଏଦୀମାନେ ଜେଲ୍‌ରୁ ବାହାରି ପାରୁନାହାନ୍ତି ସେ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି । ଜେଲ୍‌ ପରିସରରେ ଜେଲ୍‌ ଅଦାଲତ ସମ୍ପର୍କରେ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି । କେଉଁଠି କେଉଁଠି ଜେଲ୍‌ ଅଦାଲତ ଅନୁଷ୍ଠିତ ହୋଇପାରିଛି ଆଉ କେଉଁଠି ଜେଲ୍‌ ଅଦାଲତ ଆରମ୍ଭ ହୋଇପାରିନି ସେସବୁ ସଂକ୍ରାନ୍ତରେ ଏହି ରିପୋର୍ଟରେ ଉଲ୍ଳେଖ କରାଯାଇଛି । ଦ୍ୱିତୀୟ ରିପୋର୍ଟରେ ଜେଲ୍‌ର ଅବସ୍ଥା କିପରି ରହିଛି, କଏଦୀମାନେ କିପରି ଅବସ୍ଥାରେ ରହିଛନ୍ତି ସେସବୁ ଜାଣିବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆଇନସେବା ପ୍ରାଧିକରୀଣ ସଚିବଙ୍କ ଜେଲ୍‌କୁ ଅଚାନକ ପରିଦର୍ଶନ ସଂକ୍ରାନ୍ତରେ ଉଲ୍ଳେଖ ରହିଛି । ଏହାର କପି ଆମିକସ୍‌କ୍ୟୁରୀ ଏବଂ ରାଜ୍ୟ ସରକାରଙ୍କ ଆଇନଜୀବୀଙ୍କୁ ପ୍ରଦାନ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Breaking News