Report Card Odisha

| Daily Odia News

ରାଜ୍ୟରେ ଶତାଧିକ ପେଟ୍ରୋଲ ପମ୍ପରେ ତାଲା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହର୍ମୁଜ୍‌ ପ୍ରଣାଳୀରେ ତୈଳ ଯୋଗାଣ ପ୍ରଭାବିତ କାରଣରୁ ଭାରତରେ ଏବେ ପେଟ୍ରୋଲ, ଡିଜେଲ ଆଦି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଜୀବାଶ୍ମ ଇନ୍ଧନ ଉପଯୋଗକୁ କମାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନ ପରେ ରାଷ୍ଟ୍ରାୟାତ୍ତ ତୈଳ କମ୍ପାନୀ ଗୁଡିକ ଯୋଗାଣ ମଧ୍ୟ ହ୍ରାସ କରିଛନ୍ତି। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ନଥିବାରୁ ତାଲା ଝୁଲୁଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକ ମୁତାବକ ତୈଳ ବୋଝେଇ ଗାଡ଼ି ଛାଡ଼ୁ ନାହାନ୍ତି। ଫଳରେ ପେଟ୍ରୋଲ ପମ୍ପଗୁଡ଼ିକରେ ତୈଳ ପହଞ୍ଚି ପାରୁନାହିଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ପମ୍ପ ଓଳିଏ ଖୋଲିଲେ ଓଳିଏ ବନ୍ଦ ରହୁଛି। ପୁଣି ଯେଉଁ ଓଳିଏ ଖୋଲା ରହୁଛି କଟକଣାରେ ତୈଳ ବିକ୍ରି ହେଉଛି। ରାଉରକେଲା, ଖୋରଧା, କଳାହାଣ୍ଡି, ଗୁଣପୁର, ରାୟଗଡ଼ା, କୋରାପୁଟ ଜିଲାର ଲମତାପୁଟ, ନବରଙ୍ଗପୁର ଏବଂ ଭୁବନେଶ୍ବରର କିଛି ପେଟ୍ରୋଲ ପମ୍ପ ବନ୍ଦ ରହିଥିବାବେଳେ ଆଉ କିଛି ପମ୍ପରେ କଟକଣାରେ ତୈଳ ବିକ୍ରି ଚାଲିଛି। ଗୁଣୁପୁର ଅଞ୍ଚଳରେ ୫ଟି ଏବଂ ରାୟଗଡ଼ାରେ ୮ଟି ପେଟ୍ରୋଲ ପମ୍ପ ବନ୍ଦ ରହିଛି। କେବଳ ସହରାଞ୍ଚଳ ନୁହେଁ ବରଂ ଗ୍ରାମାଞ୍ଚଳରେ ଥିବା ପମ୍ପ ମାଲିକ ତୈଳ ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କହୁଛି, ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି। ତୈଳ ବିକ୍ରି ଉପରେ ସରକାରଙ୍କ ପକ୍ଷରୁ କୌଣସି କଟକଣା ଲାଗୁ ହୋଇନି।

Breaking News