ରିପୋର୍ଟ କାର୍ଡ / କୋଲ୍କାତା
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ଅଭିଯାନରେ ପଶ୍ଚିମବଙ୍ଗ ଗସ୍ତ କରି ଉଦ୍ବୋଧନ ଦେଇଛନ୍ତି | ମୋଦୀ ପୁରୁଲିଆର ସାମ୍ପ୍ରତିକ ଜଳ ସଙ୍କଟ ପ୍ରସଙ୍ଗରେ ମହାକାବ୍ୟ ‘ରାମାୟଣ’ରୁ ଗୋଟାଏ କଥାର ଦୃଷ୍ଟାନ୍ତ ଦେବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଏ ଭୂମି ପ୍ରଭୁ ରାମ ଏବଂ ଦେବୀ ସୀତାଙ୍କ ବନବାସ କାଳର ସାକ୍ଷୀ। ଏ ଭୂମିରେ ସୀତାକୁଣ୍ଡ ଅଛି। କଥିତ ଅଛି ଯେ, ଦେବୀ ସୀତାଙ୍କୁ ଶୋଷ ଲାଗିବାରୁ ପ୍ରଭୁ ରାମ ଭୂଇଁରେ ଶର ବିନ୍ଧି ଜଳ ବାହାର କରିଥିଲେ। କିନ୍ତୁ, ଆଜି ପୁରୁଲିଆରେ ଜଳ ସଙ୍କଟ ଦେଖାଦେବା ବଡ଼ ବିଚିତ୍ର କଥା। ପଶ୍ଚିମବଙ୍ଗର ପୁରୁଲିଆରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେବା ସମୟରେ ଉପରୋକ୍ତ କଥା କହିବା ସହ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ମମତା ସରକାର ପୁରୁଲିଆ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବାମପନ୍ଥୀ ସରକାର ଓ ପରେ ତୃଣମୂଳ କଂଗ୍ରେସ ପୁରୁଲିଆରେ ଶିଳ୍ପର ବିକାଶ କରାଇ ଦେଇ ନାହାନ୍ତି। ଜଳସେଚନ ନିମନ୍ତେ ଯେଉଁ ପ୍ରକାର କାର୍ଯ୍ୟ ହେବା କଥା ତାହା ହୋଇନାହିଁ। ଜଳ ସଙ୍କଟ ଯୋଗୁଁ ଗୃହପାଳିତ ପଶୁପାଳନରେ ହେଉଥିବା ସମସ୍ୟା କଥା ମୁଁ ଜାଣେ। କୃଷିକୁ ତା’ ବାଟରେ ଛାଡ଼ି ଦେଇ ତୃଣମୂଳ କଂଗ୍ରେସ ସରକାର ନିଜ ଖେଳରେ ମାତିଛି। କିନ୍ତୁ, ‘ଡବଲ୍-ଇଞ୍ଜିନ୍’ବିଶିଷ୍ଟ ‘ବିଜେପି’ ସରକାର ପଶ୍ଚିମବଙ୍ଗର ବିକାଶକୁ ସୁନିଶ୍ଚିତ କରିବ। ବର୍ଷ ବର୍ଷର ଅରାଜକତା ନିମନ୍ତେ ବଙ୍ଗବାସୀ ମମତାଙ୍କ ପ୍ରତି ଦଣ୍ଡ ବିଧାନ କରିବେ। ଦିଦି କହୁଛନ୍ତି, ଖେଳ ହେବ, କିନ୍ତୁ ବିଜେପି କହୁଛି, ବିକାଶ ହେବ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଲୋକସଭାରେ ତୃଣମୂଳ କଂଗ୍ରେସ ଅଧା ଶେଷ ହୋଇଯାଇଛି, ଏବଂ ଏଥର ପୂରା ଶେଷ ହୋଇଯିବ ବୋଲି ବିଜେପି କହି ଆସୁଛି। ବିଜେପିର ଏହି ପ୍ରତିବଦ୍ଧତା ଦେଖି ଦିଦି ମୋ ଉପରେ ବିଷୋଦ୍ଗାର କରୁଛନ୍ତି। କିନ୍ତୁ, ଆମ ଦୃଷ୍ଟିରେ ସେ ଭାରତର କୋଟି କୋଟି ଝିଅଙ୍କ ପରି ଜଣେ ଝିଅ। ଝିଅମାନଙ୍କ ପ୍ରତି ମର୍ଯ୍ୟାଦା ଦେବା ଆମ ସଂସ୍କୃତିର ଅଂଶବିଶେଷ।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..