ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ପକ୍ଷରୁ ରକେଟ ଫୋର୍ସ ଗଠନ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାଦ୍ୱାରା ଏଲ୍ଓସି ଏବଂ ଏଲ୍ଏସିରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ବୋଲି ତିନି ବାହିନୀର ମୁଖ୍ୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫସ୍(ସିଡିଏସ୍) ବିପିନ ରାଓ୍ବତ ସୂଚନା ଦେଇଛନ୍ତି। ଦକ୍ଷିଣ ଏସିଆର ସୁରକ୍ଷା ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ଆଫଗାନିସ୍ତାନରେ ପାକିସ୍ତାନ ଓ ଚୀନର ପ୍ରଭାବ ବୃଦ୍ଧି ପାଇବା ପରେ ଭାରତ ଭବିଷ୍ୟତର ନିରାପତ୍ତା ଆହ୍ବାନ ପାଇଁ ନିଜକୁ ପ୍ରସ୍ତୁତ କରୁଛି । ବିଶେଷ କରି ଏକ ରକେଟ୍ ଫୋର୍ସ ଓ ଏକ ସାଇବର କମାଣ୍ଡ ନିର୍ମାଣ କରିବାକୁ ଭାରତ ସରକାର ବିଚାର କରୁଛନ୍ତି । ସିଡିଏସ୍ ଜେନେରାଲ ବିପିନ ରାଓ୍ବତ କହିଛନ୍ତି ଯେ ଦେଶର କ୍ଷେପଣାସ୍ତ୍ରଗୁଡ଼ିକର ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଏକ ରକେଟ୍ ଫୋର୍ସ ଗଠନ କରିବାକୁ ବିଚାର କରାଯାଉଛି । ଭାରତର ଶତ୍ରୁ ଦେଶ ଚୀନ ପାଖରେ ଏକ ଅତ୍ୟାଧୁନିକ ରକେଟ୍ ଫୋର୍ସ ରହିଛି । ଚୀନର ବିଭିନ୍ନ କ୍ଷେପଣାସ୍ତ୍ରଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଏହି ରକେଟ୍ ଫୋର୍ସ ଉପରେ ନ୍ୟସ୍ତ କରାଯାଇଛି । ଗତ ବର୍ଷ ଲଦାଖରେ ଭାରତ ସହ ଉତ୍ତେଜନା ବୃଦ୍ଧି ପାଇବା ପରେ ଚୀନ ନିଜର ଓ୍ବେଷ୍ଟର୍ଣ୍ଣ କମାଣ୍ଡ ସହ ନିଜର ରକେଟ୍ ଫୋର୍ସକୁ ମଧ୍ୟ ମୁତୟନ କରିଥିଲା । ଜେନେରାଲ ରାଓ୍ବତ କହିଛନ୍ତି ଯେ ଆଫଗାନିସ୍ତାନରେ ଚୀନର ପ୍ରଭାବ ବୃଦ୍ଧି ଭାରତ ପାଇଁ ଏକ ବଡ଼ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି । ଚୀନ ଜିହାଦୀ ଆତଙ୍କବାଦୀମାନଙ୍କୁ ପରୋକ୍ଷରେ ଭାରତ ବିପକ୍ଷରେ ବ୍ୟବହାର କରିବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ନିଜର ସାମରିକ ଶକ୍ତିର ଆଧୁନୀକିକରଣ ଛଡ଼ା ଅନ୍ୟ ଉପାୟ ନାହିଁ ।
Discussion about this post