Report Card Odisha

| Daily Odia News

ଜାହାଙ୍ଗୀରପୁରୀ ମାମଲାର ୨ ସପ୍ତାହ ପରେ ଆଗାମୀ ଶୁଣାଣି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାହାଙ୍ଗୀରପୁରୀରେ ବେଆଇନ ଜବରଦଖଲକାରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ନେଇ ଦାଖଲ ଆବେଦନର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସମସ୍ତ ତଥ୍ୟ ଓ ପ୍ରମାଣ ଓ ବିତର୍କ ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ କରିବେ । ଏହାସହ ସେ ସମସ୍ତ ପକ୍ଷଙ୍କୁ ରିପୋର୍ଟ ମାଗିଛନ୍ତି । ଏହାପୂର୍ବରୁ ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ, ମହାନଗର ନିଗମ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ଟାର୍ଗେଟ କରି ଏପରି କରୁଛି । ଅନ୍ୟପକ୍ଷରେ ସେଲିସିଟର ଜେନେରେଲ କହିଥିଲେ ଯେ, ପ୍ରଶାସନ ଏହା କେବଳ ଜବରଦଖଲକାରୀଙ୍କ ବିରୋଧରେ କରୁଛି । ଏତତ୍ ବ୍ୟତୀତ ଜମିୟତ ଉଲ ଏ ହିନ୍ଦ ପକ୍ଷରୁ କପିଲ ଶିବ୍ବଲ କହିଥିଲେ ଯେ, ସାରା ଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାର ଆବଶ୍ୟକତା ରହିଛି । ଏହାକୁ କୋର୍ଟ ଖାରଜ କରିଦେଇଥିଲେ । ବିନା ବୁଲଡୋଜରରେ ବେଆଇନ ଅବରୋଧ ହଟାଇ ଯାଇପାରିବନି ବୋଲି କୋର୍ଟ କହିଥିଲେ । ଏହାସହ କୋର୍ଟ ସମସ୍ତ ପକ୍ଷରୁ ଧୈର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ଅବସରରେ ବାହାରିଥିବା ଶୋଭାଯାତ୍ରା ଉପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ପଥରମାଡ଼ କରିଥିଲେ । ଏହାର ଘଣ୍ଟାକ ପରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ପଥରମାଡ଼ ସହିତ ଖଣ୍ଡା ବୁଲିଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନଥିଲେ, ଯେଉଁଥି ପାଇଁ ୬ ଜଣ ପୋଲିସ କର୍ମୀ ଆହତ ହୋଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ନେଇ ପୋଲିସ ବିଭିନ୍ନ ଅପରାଧିକ ଧାରା ଅନୁସାରେ ମାମଲା ରୁଜୁ କରିଛି । ଏପର୍ଯ୍ୟନ୍ତ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଦଂଗା, ସରକାରୀ କାମରେ ବାଧା ପକାଇବା, ସଂପତ୍ତି କ୍ଷତି କରିବା ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛି । ଆହତ ପୋଲିସ କର୍ମୀଙ୍କର ମଧ୍ୟ ବୟାନ ରେକର୍ଡ କରାଯିବ ।

Breaking News