ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ଆମେରିକାରୁ ଲଗାତର ହିଂସା ଖବର ସାମ୍ନାକୁ ଆସୁଛି। ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ବର୍ତ୍ତମାନ ଡେମୋକ୍ରାଟ୍ ପ୍ରାର୍ଥୀ କମଲା ହାରିସଙ୍କ ନିର୍ବାଚନ କାର୍ଯ୍ୟାଳୟରେ ଉପରକୁ ଗୁଳିମାଡ଼ ହୋଇଥିବା ସାମ୍ନାକୁ ଆସିଛି। ପୋଲିସ କହିଛି ଯେ, ଆରିଜୋନାରେ କମଲା ହାରିସଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟାଳୟ ଉପରକୁ ଗୁଳିମାଡ଼ ହୋଇଛି। ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଏହି ଘଟଣା ଘଟାଇଛି। ସାଉଥ ଆଭେନ୍ୟୁ ଏବଂ ପ୍ରିଷ୍ଟ ଡ୍ରାଇଭ ନିକଟରେ ଡେମୋକ୍ରାଟିକ୍ ନ୍ୟାସନାଲ କମିଟିର ନିର୍ବାଚନ ପ୍ରଚାର କାର୍ଯ୍ୟାଳୟରେ ଗୁଳିମାଡ଼ ଯୋଗୁ ଅନେକ କ୍ଷୟକ୍ଷତି ହୋଇଛି। ଏନେଇ ଟେମ୍ପେ ପୁଲିସ ବିଭାଗ ନ୍ୟୁୟର୍କ ପୋଷ୍ଟକୁ ସୂଚନା ଦେଇଛି। ଗୁଳିମାଡ଼ ବେଳେ ସୌଭାଗ୍ୟବଶତଃ ଅଫିସ ଭିତରେ କେହି ଉପସ୍ଥିତ ନଥିଲେ। ତେବେ ବିଲଡିଂରେ କାମ କରୁଥିବା ଏବଂ ନିକଟସ୍ଥ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି। ଏକ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ସେପ୍ଟେମ୍ବର ୧୬ ତାରିଖରେ ମଧ୍ୟ କମଲା ହାରିସଙ୍କ ଅଫିସ୍କୁ ଟାର୍ଗେଟ୍ କରି ଗୁଳିମାଡ଼ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଏହି ଗୁଳିମାଡ଼ ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇ ନାହିଁ। ପୋଲିସ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଖୁବଶୀଘ୍ର ଅଭିଯୁକ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..