Report Card Odisha

| Daily Odia News

କମିବ ନବମ ଓ ଦଶମ ଶ୍ରେଣୀର ସିଲାବସ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା ପାଇଁ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ | କରୋନାର ଦ୍ଵିତୀୟ ଲହର ଜାରିରହିଥିବା ବେଳେ ସମସ୍ତଙ୍କୁ ତୃତୀୟ ଲହର ଭୟ ଘାରିଛି।ଏଭଳି ସ୍ଥିତିରେ ସ୍କୁଲ କେବେ ଖୋଲିବ ଜଣା ନାହିଁ । ହେଲେ ପିଲାଙ୍କ ପାଠ ପଢାରେ ଅନେକ ସମସ୍ୟା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ବି ହ୍ରାସ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ୍ ହ୍ରାସ କରାଯିବ। ମନ୍ତ୍ରୀ କହିଥିଲେ, ସ୍କୁଲ ଖୋଲିବା ନିଷ୍ପତ୍ତି ଏ ଯାଏଁ ହୋଇନି। ଅନଲାଇନ୍‌ରେ ସ୍କୁଲ ପିଲାଙ୍କୁ ପାଠ ପଢ଼ାଯାଉଛି। ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ। ତେଣୁ ଚଳିତ ବର୍ଷ ବି ସିଲାବସ୍ କମେଇବା ନିଷ୍ପତ୍ତି ହୋଇଛି। ମହାମାରୀ ଯୋଗୁ ସ୍କୁଲ, ଟିଉସନ ସବୁ ବନ୍ଦ। ଅନ୍‌ଲାଇନ କ୍ଲାସରେ ଅନେକ ସମସ୍ୟା ରହିଛି। କେଉଁଠି ନେଟ ପାଉନି, କେଉଁଠି ଡାଟା ସରି ଯାଉଛି। ଯାହା ବି ହେଉ, ଘରୋଇ ସ୍କୁଲ ପିଲାମାନଙ୍କର ଅନ୍‌ଲାଇନ କ୍ଲାସ ଜାରି ରହିଥିବାବେଳେ ବେଶି ଅସୁବିଧାର ସମ୍ମୁଖୀନ ହେଉଥିଲେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ । ଏଇ ପରିପ୍ରେକ୍ଷୀରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁ ଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁଲାଇ ୩୧ ଯାଏଁ ଚାଲିବ। ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ଣ ଗୋଟାଏ ଯାଏଁ ଦିନକୁ ୪ଟି ପିରିୟଡ୍ ହେବ। ସେହିପରି ଜୁଲାଇ ୭ ତାରିଖ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୯ଟାରୁ ୧୦ଟା ଯାଏ ଏବଂ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ଯାଏ ହେବ। ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ, ତାହା ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ଦେଖିବେ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ ବୋଲି ସୂଚନା ଦେଇଛନ୍ତି।

Breaking News