Report Card Odisha

| Daily Odia News

ଆସନ୍ତାକାଲି ଠାରୁ ଲକଡାଉନ୍‌ ଓଡ଼ିଶା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତାକାଲି ଅର୍ଥାତ ମେ ୫ ଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍‌। ରାଜ୍ୟରେ କରୋନା ସଂକ୍ରମଣ ଏବଂ ତଦ୍‍ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶେଷ ଅସ୍ତ୍ର ଭାବରେ ସରକାର ଏହାକୁ ପ୍ରୟୋଗ କରିଛନ୍ତି। ମେ ମାସ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ପାଇଁ ଲକଡାଉନ୍‌ ଜାରିରହିବ । ଲକଡାଉନ୍‌ ରହିଲେ ସଂକ୍ରମଣ ହ୍ରାସପାଇବା ନେଇ ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ଲକଡାଉନ୍‌ ସମୟରେ ସକାଳ ୬ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ତେଜରାତି ସାମଗ୍ରୀ, କ୍ଷୀର, ପନିପରିବା, ଗୋଟିକିଆ ମାଛ, ମାଂସ, ଅଣ୍ଡା ଆଦି ଦୋକାନ ଖୋଲା ରହିବ। ଏଥିସହିତ ଗୋଖାଦ୍ୟ, ସାର, ବିହନ, ସିମେଣ୍ଟ, ଲୁହାଛଡ, ବହି ଦୋକାନ ଖୋଲା ରହିବ। ଜନସାଧାରଣ ସେମାନଙ୍କ ଘରଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଚାଲିଚାଲି ଯାଇ ଏହିସବୁ ସାମଗ୍ରୀ କିଣିପାରିବେ। ତେବେ ସେମାନଙ୍କୁ କୋଭିଡ କଟକଣା ସଂପୂର୍ଣ୍ଣ ଭାବରେ ପାଳନ କରିବାକୁ ହେବ। ଏଥିସହିତ ତାଲାବନ୍ଦ ସମୟରେ ଔଷଧ ଦୋକାନ, ସରକାରୀ ଓ ଘରୋଇ ଡାକ୍ତରଖାନା, ପାଥୋଲାବ ଆଦି ଖୋଲା ରହିବ। ପଣ୍ୟ ସାମଗ୍ରୀ ପରିବହନ, କୃଷିକାର୍ଯ୍ୟ ଆଦିକୁ ମଧ୍ୟ ତାଲାବନ୍ଦରୁ ବାଦ୍‍ ଦିଆଯାଇଛି। ତେବେ ବସ୍‍, ଅଟୋ ଭଳି ସମସ୍ତ ଗଣପରିବହନ ବ୍ୟବସ୍ଥା ବନ୍ଦ ରହିବ। ତାଲାବନ୍ଦ ସମୟରେ କୋଭିଡ ଟିକାକରଣ ଚାଲୁ ରହିବ। ତେବେ ସପ୍ତାହାନ୍ତ ସଂପୂର୍ଣ୍ଣ ବନ୍ଦ ପୂର୍ବଭଳି ଜାରି ରହିବ। ଏହି ଦୁଇଦିନ ଔଷଧ ଦୋକାନ ଭଳି କେତେକ ଅତ୍ୟାବଶ୍ୟକ ସେବାକୁ ବାଦ୍‍ଦେଲେ ଅନ୍ୟ ସମସ୍ତ ବନ୍ଦ ରହିବ। ତାଲାବନ୍ଦ ସମୟରେ ହୋମ ଡେଲିଭରୀ କୁ ଅନୁମତି ଦିଆଯାଇଛି। ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସେହିସବୁ ରାଜ୍ୟକୁ ଲାଗିଥିବା ଓଡ଼ିଶା ସୀମାକୁ ସିଲ୍‍ କରିଦିଆଯାଇଛି। ସେଠାରେ ପ୍ରବେଶ ପଥଗୁଡିକରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୁଲିସ ପକ୍ଷରୁ ଉକ୍ତ ରାଜ୍ୟଗୁଡିକରୁ ଜନସାଧାରଣଙ୍କୁ ଓଡ଼ିଶାକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

Breaking News