Report Card Odisha

| Daily Odia News

ମହା ଜନନାୟକ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ବାହାରିଲା ପଦଯାତ୍ରା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ମହା ଜନନାୟକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ପୂରିଛି ୧୦୦ ବର୍ଷ । ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟେଜନା କରାଯାଇଛି । ଗାନ୍ଧିଜୀଙ୍କର ବାର୍ତ୍ତା ଓ ଆଭିମୁଖ୍ୟ, ଗାନ୍ଧିକଥା ଓ ଗାନ୍ଧି ଚିନ୍ତନ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗାନ୍ଧିସ୍ମାରକୀ ରଥ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପରିସରରୁ ଯାତ୍ରା ଆରମ୍ଭ କରିଛି। ୧୯୨୧ ମସିହା ମାର୍ଚ୍ଚ ୨୩ରେ ମହାତ୍ମା ଯେତେବେଳେ କଟକ ଷ୍ଟେସନ୍‌ରେ ଓହ୍ଲାଇଥିଲେ ୧୦ ହଜାରରୁ ଅଧିକ ଲୋକ ଠିଆ ହୋଇଥିଲେ ତାଙ୍କୁ ସ୍ୱାଗତ କରିବା ପାଇଁ। ଏହାପରେ ଗାନ୍ଧିଜୀ କଟକ ସହର ବୁଲି ଲୋକଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ନେଇ ଜାଗରଣ ସୃଷ୍ଟି କରିଥିଲେ । ଏହାପରେ କାଠଯୋଡ଼ି ନଦୀ କୂଳରେ ସଭା ଆୟୋଜନ କରିଥିଲେ। ଏଥିରେ କସ୍ତୁରବା ଗାନ୍ଧିଙ୍କ ଆହ୍ୱାନରେ ହଜାର ହଜାର ମହିଳା ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ସେହି ସ୍ମୃତିକୁ ମନେ ପକାଇ ଆଜି କଟକରେ ପଦଯାତ୍ରା ଆୟୋଜନ କରାଯାଇଛି । ରେଳ ଷ୍ଟେସନରୁ ପଦଯାତ୍ରା ବାହାରି ମଙ୍ଗଳାବାଗ, ନୂଆପାଟଣା, ବକ୍ସିବଜାର, ହାଇକୋର୍ଟ ଛକ ହୋଇ ବେଲଭିଉ ଛକରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ୭ କିଲୋମିଟରର ପଦଯାତ୍ରାରେ ଦଳମତ ନିରବିଶେଷରେ ସବୁ ବର୍ଗର ଲୋକ ଯୋଗ ଦେଇଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାକ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି। ଯେଉଁ ଯେଉଁ ସ୍ଥାନ ଦେଇ ଗାନ୍ଧି ଯାଇଥିଲେ ସେହି ଅଞ୍ଚଳ ଦେଇ ପଦଯାତ୍ରା ଯାଇଥିଲା। ସେହିଭଳି ଆଜି ସଂଧ୍ୟାରେ ଗାନ୍ଧିଙ୍କ ସ୍ମୃତିରେ ଡାକ ଟିକଟ୍ ଉନ୍ମୋଚନ ହେବ। ସେହିପରି ବିଧାନସଭାରେ ମହାତ୍ମାଗାନ୍ଧିଙ୍କ ଉପରେ ହେବ ଆଲୋଚନା । ମହାତ୍ମାଗାନ୍ଧିଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତ ନେଇ ହେବ ସ୍ମୃତିଚାରଣ । ସ୍ବତନ୍ତ୍ର ମୋସନ ଆଣି ତିନି ଘଣ୍ଟା ଧରି ଆଲୋଚନା କରାଯିବ । ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି । ଶ୍ନକାଳ, ଶୂନ୍ୟକାଳ ଏବଂ ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ଏହି ସ୍ୱତନ୍ତ୍ର ଆଲୋଚନା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରୁ ଦିନ ସାଢ଼େ ଗୋଟାଏ ଯାଏଁ ଏହି ଆଲୋଚନା ଚାଲିବ।

Breaking News