Report Card Odisha

| Daily Odia News

ମମତା ବନ୍ଦ କଲେ ରାଜ୍ୟପାଳ ଧନଖଡ଼ଙ୍କ ଟ୍ବିଟର ଆକାଉଣ୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ସର୍ବଦା ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରୁଥିବା ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ହଟାଇବା ପାଇଁ ମମତା ବାନାର୍ଜୀଙ୍କ ସରକାର ବାରମ୍ବାର ରାଷ୍ଟ୍ରପତିଙ୍କୁ ଆବେଦନ କରିବା ସହ ସଂସଦରେ ମଧ୍ୟ ତାଙ୍କ ଦଳର ସାଂସଦମାନେ ରାଜ୍ୟପାଳଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଉତ୍ଥାପନ କରିଛନ୍ତି। ସଦ୍ୟତମ ଘଟଣାକ୍ରମେ ମମତା ବାନାର୍ଜୀ ସୋମବାର ରାଜ୍ୟପାଳଙ୍କ ସାମାଜିକ ଗଣମାଧ୍ୟମ ଟ୍ବିଟର ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି। ରବିବାର ସହିଦ ଦିବସ ଅବସରରେ ରାଜ୍ୟପାଳ ‘ଗଣତନ୍ତ୍ର ପାଇଁ ପଶ୍ଚିମବଙ୍ଗ ଗ୍ୟାସ୍‌ ଚାମ୍ବର (ବାଷ୍ପୀୟ କୂପ)ରେ ପରିଣତ ହୋଇଛି’ ବୋଲି ଟ୍ବିଟରରେ ଆକ୍ଷେପ କରିଥିଲେ। ରାଜ୍ୟରେ ମାନବିକ ଅଧିକାର କ୍ଷୁଣ୍ଣ ହେଉଛି, ରାଜନୈତିକ ରକ୍ତପାତ ଘଟୁଛି। ରାଜ୍ୟରେ ଆଇନର ଶାସନ ନାହିଁ। ସମ୍ବିଧାନ ପ୍ରତି ଅପମାନ ସେ ସହ୍ୟ କରିପାରିବେ ନାହିଁ ବୋଲି ମଧ୍ୟ ଧନଖଡ଼ ଏଥିରେ ଉଲ୍ଲେଖ କରିଥିଲେ। ଏହାର ଜବାବରେ ମମତା କହିଛନ୍ତି, ‘ମୋତେ ଦୁଃଖର ସହ କହିବାକୁ ପଡ଼ୁଛି ଯେ ରାଜ୍ୟପାଳ ପ୍ରତି ଦିନ କିଛି ନା କିଛି ଅନୈତିକ ଓ ଅସାମ୍ବିଧାନିକ ବିବୃତି ଦେଉଛନ୍ତି। ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକଙ୍କ ଭଳି ମୋର ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଓ ଧମକ ଦେଉଛନ୍ତି। ସେ ପରାମର୍ଶ ଦେବା ବଦଳରେ ନିର୍ଦେଶନାମା ଜାରି କରୁଛନ୍ତି। ଏପରି ସ୍ଥଳେ ତାଙ୍କ ଟ୍ବିଟର ଆକାଉଣ୍ଟ ବନ୍ଦ କରିବା ବ୍ୟତୀତ ଅନ୍ୟ ପନ୍ଥା ନ ଥିଲା।’ ରାଜ୍ୟପାଳଙ୍କ କାର୍ଯ୍ୟକଳାପ ନେଇ ସେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଫଳ ମିଳୁ ନ ଥିବା ମମତା କହିଛନ୍ତି। ଏହି ଘଟଣା ପରେ ରାଜ୍ୟପାଳ ହ୍ବାଟ୍ସ ଆପ୍‌ ଯୋଗେ ମମତାଙ୍କୁ ବାର୍ତ୍ତା ପଠାଇଛନ୍ତି ଯେ ଗଣତନ୍ତ୍ରରେ ସରକାରୀ ମୁଖ୍ୟ ଓ ସାମ୍ବିଧାନିକ ମୁଖ୍ୟଙ୍କ ମଧ୍ୟରେ ସୌଦାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିବା ଜରୁରୀ। ଏହା ଗଣତନ୍ତ୍ରକୁ ରୁଦ୍ଦିମନ୍ତ କରିଥାଏ। ଏଣିକି ସେ ହ୍ବାଟ୍ସ ଆପ୍‌ରେ ଯୋଗାଯୋଗ କରିବେ ବୋଲି କହିଛନ୍ତି।

Breaking News