ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମନ୍ଦିରରେ ପ୍ରତିଷ୍ଠିତ ଦେବତା ହେଉଛନ୍ତି ମନ୍ଦିର ସହିତ ସଂଲଗ୍ନ ହୋଇଥିବା ଜମିର ମାଲିକ। ଏହି ନେଇ ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, କୌଣସି ମନ୍ଦିରର ଜମି ଉପରେ କେବଳ ଭଗବାନଙ୍କ ମାଲିକାନା ହକ ରହିଛି। ଜମି ଉପରେ ପୂଜାରୀ କିମ୍ବା କୌଣସି ସରକାରୀ ଅଧିକାରୀ ନିଜର ଅଧିକାର ଜାହିର କରି ପାରିବେ ନାହିଁ। ଏଥିପାଇଁ ସେ ଅଯୋଧ୍ୟାର ରାମ ଜନ୍ମଭୂମି ନିଷ୍ପତ୍ତିର ଉଦାହରଣ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ମଧ୍ୟ ପ୍ରଦେଶ ସରକାରଙ୍କ ସେହି ଅଧିସୂଚନା ଉପରେ ମୋହର ମାରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ, ମନ୍ଦିର ଜମିର ମାଲିକ ମନ୍ଦିରର ପୂଜାରୀ ହୋଇ ପାରିବେ ନାହିଁ। ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମନ୍ଦିର ସମ୍ପତ୍ତି ସମ୍ବନ୍ଧୀୟ ରାଜସ୍ବ ରେକର୍ଡରୁ ପୁରୋହିତଙ୍କ ନାମ ହଟାଇବା ସହିତ ଜାରି ହୋଇଥିବା ସର୍କୁଲାରକୁ ସମର୍ଥନ କରି ସୁପ୍ରିମକୋର୍ଟ ଏହି ରାୟ(ଏସ୍ସି) ଦେଇଛନ୍ତି। ପୂର୍ବରୁ ମଧ୍ୟପ୍ରଦେଶ ଜମି ରାଜସ୍ବ ସଂହିତା-୧୯୫୯ର ଏହି ସର୍କୁଲାରକୁ ରାଜ୍ୟ ହାଇକୋର୍ଟଙ୍କ ଦ୍ୱାରା ରଦ୍ଦ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ପୁରୋହିତଙ୍କ ଦ୍ୱାରା ହେଉଥିବା ବେଆଇନ ଜମି ବିକ୍ରୟରୁ ମନ୍ଦିର ସମ୍ପତ୍ତିର ସୁରକ୍ଷା ପାଇଁ ଏଭଳି କାର୍ଯ୍ୟକାରୀ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ପୁରୋହିତମାନେ ଯୁକ୍ତି କରିଥିଲେ ଯେ ସେମାନଙ୍କୁ ଭୂମିସ୍ବାମୀ (ମାଲିକାନା) ଅଧିକାର ଦିଆଯାଇଛି ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କଠାରୁ ଏସବୁ ସମ୍ପତ୍ତି ଫେରାଇ ନିଆଯାଇପାରିବ ନାହିଁ। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ଏ.ଏମ୍. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଅଯୋଧ୍ୟାରେ ରାମ ମନ୍ଦିର ଉପରେ ହୋଇଥିବା ରାୟ ସମେତ ପୂର୍ବ କୋର୍ଟେ ବିଚାର ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ପୁରୋହିତ ଜଣେ ମୌରୁସି କାସ୍ତକାର ନୁହଁନ୍ତି। ଅର୍ଥାତ୍ ସେ ଜମିର ମାଲିକ କିମ୍ବା ସରକାରୀ ଲିଜଧାରୀ କିମ୍ବା ଜମିର ଜଣେ ସାଧାରଣ ମାଲିକ ନୁହଁନ୍ତି। ବରଂ ଏହାକୁ ପରିଚାଳନା ଉଦ୍ଦେଶ୍ୟରେ ରାଜସ୍ବ ବିଭାଗ ଦ୍ୱାରା ତାଙ୍କୁ ନିଯୁକ୍ତ କରାଯାଇଛି। ପୁରୋହିତ କେବଳ ଦେବତାଙ୍କର ସମ୍ପତ୍ତି ପରିଚାଳନା ପାଇଁ ଅନୁଦାନକର୍ତ୍ତା । ଯଦି ପୁରୋହିତ ପୂଜା କରିବା ଏବଂ ଜମି ପରିଚାଳନା କରିବା ଇତ୍ୟାଦି ତାଙ୍କୁ ଦିଆଯାଇଥିବା କାର୍ଯ୍ୟ କରିବାରେ ବିଫଳ ହୁଅନ୍ତି, ତେବେ ଏପରିସ୍ଥଳେ ଅନୁଦାନକର୍ତ୍ତାଙ୍କୁ ବଦଳାଯାଇପାରିବ ବୋଲି ଶୀର୍ଷ କୋର୍ଟ କହିଛନ୍ତି।
Discussion about this post