Report Card Odisha

| Daily Odia News

ନିଖୋଜ ନୌସେନା ଅଫିସରଙ୍କର ମିଳିଲା ଆଇଡି କାର୍ଡ…..

ରିପୋର୍ଟ କାର୍ଡ / ଗଞ୍ଜାମ

କେରଳର କୋଚି ଆଇଏଏସ୍‌ ଗରୁଡ଼ାରେ କାର୍ଯ୍ୟରେ ଯୋଗଦେବାକୁ ଟ୍ରେନ୍‌ରେ ଯାଉଥିବା ଜଣେ ନୌସେନା ଅଫିସର ଗତ ୧୯ ତାରିଖରୁ ନିଖୋଜ ଅଛନ୍ତି। ସେ ହେଲେ ବ୍ରହ୍ମପୁର ଗେଟ୍‌ ବଜାରର ସୌରଭ କୁମାର ପାତ୍ର (୨୫)। ସୌରଭ ଏ ପର୍ଯ୍ୟନ୍ତ ଆଇଏନ୍‌ଏସ୍‌ ଗରୁଡ଼ାରେ ପହଞ୍ଚି ନାହାନ୍ତି କି ତାଙ୍କର କୌଣସି ସନ୍ଧାନ ମିଳୁ ନ ଥିବା ତାଙ୍କ ମା’ ନିତ୍ତ ପାତ୍ର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୁଅକୁ ଖୋଜି ଆଣିବାକୁ ପୋଲିସ ଓ ନୌସେନାକୁ ନିବେଦନ କରିଛନ୍ତି। ପୋଲିସ ଏ ନେଇ ଏମ୍‌ଏମ୍‌ଆର ୦୨/୨୫ରେ ଷ୍ଟେଶନ ଡାଏରୀ କରିଛି। ସୌରଭଙ୍କର ଲୋକେଶନ ଜାଣିବା ପାଇଁ ଟ୍ରାକିଂ ଜାରି ରଖିଛି। ଶେଷ ମୋବାଇଲ ଲୋକେଶନ ଇଚ୍ଛାପୁରମ୍‌ ଥିବା ଜଣାପଡିଛିି। ସୌରଭଙ୍କ ଭାଇ ସମୀରଙ୍କ ସୂଚନା ପ୍ରକାରେ, ୨୦୧୯ରୁ ସୌରଭ ନୌସେନାରେ ନିଯୁକ୍ତି ପାଇଥିଲେ। କେରଳର କୋଚି ଆଇଏନଏସ ଗରୁଡ଼ାରେ ତାଙ୍କର ନିଯୁକ୍ତି ଥିଲା। ୨୦୨୪ ଡିସେମ୍ବର ୨୮ ତାରିଖରେ ସେ ଘରକୁ ଛୁଟିରେ ଆସିଥିଲେ। ଜାନୁଆରୀ ୧୯ ତାରିଖରେ କୋଚି ଫେରିବାର ଥିଲା। ବ୍ରହ୍ମପୁରରୁ ଟ୍ରେନ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ଫ୍ଲାଇଟ ଟିକେଟ ହୋଇଥିଲା। ସମୀର କହିଛନ୍ତି ଯେ, ୧୮ ତାରିଖ ରାତି ୩ଟାରେ ପରିବାର ଲୋକେ ବ୍ରହ୍ମପୁର ଷ୍ଟେଶନରେ ସୌରଭଙ୍କୁ ଟ୍ରେନ୍‌ରେ ବସାଇଥିଲେ। ଅପରାହ୍ନରେ ତାଙ୍କର ଫ୍ଲାଇଟ ଥିଲା। ବ୍ରହ୍ମପୁରରୁ ଯିବା ପରେ ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ହୋଇଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିବା ପରେ ବିଶାଖାପାଟଣା ଏୟାର ପୋର୍ଟରେ ସୌରଭଙ୍କୁ ଖୋଜିଥିଲେ। କିନ୍ତୁ ସେ ସେଠାରେ ସେ ଚେକ୍‌ ଇନ କରି ନ ଥିବା ଜଣାପଡିଥିଲା। ଏହାପରେ କୋଚି ଆଇଏଏସ ଗରୁଡ଼ାର ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକେ। ସୌରଭ ସେଠାରେ ବି ନ ଥିବା ଅଧିକାରୀ ଫୋନ୍‌ରେ ଜଣାଇଥିବା ସମୀର କହିଛନ୍ତି। ପୋଲିସ ସୌରଭଙ୍କ ମୋବାଇଲ ଲୋକେଶନ ଯାଞ୍ଚ କରିଥିଲା। ଇଚ୍ଛାପୁରମ ତାଙ୍କର ଶେଷ ମୋବାଇଲ ଲୋକେଶନ ଥିବା ଜଣାପଡିଛି। ସୌରଭଙ୍କୁ ଅପହରଣ କରାଯାଇଛି ନା ସେ କେଉଁଆଡେ ଚାଲିଯାଇଛନ୍ତି ତାହା ଏବେ ତଦନ୍ତ କରୁଛି ପୋଲିସ। ଟାଉନ ଥାନା ଆଇଆଇସି ସୌଭାଗ୍ୟ ସ୍ବାଇଁ କହିଛନ୍ତି, ଅଭିଯୋଗ ପରେ ସୌରଭଙ୍କୁ ଖୋଜାଖୋଜି କରାଯାଉଛି। ବିଶାଖାପାଟଣା ଏୟାର ପୋର୍ଟ ଅଥରିଟିଙ୍କ ସହ ଯୋଗାଯୋଗ ସହ ବିଭିନ୍ନ ଥାନାକୁ ସୌରଭଙ୍କ ଫଟୋ ପଠାଯାଇଛି ବୋଲି ସେ କହିଛନ୍ତି। ରେଳ ଧାରଣା କଡ଼ରୁ ନୌସେନା ଅଧିକାରୀ ସୌରଭଙ୍କ ଆଇଡି କାର୍ଡ ମିଳିଛି। ସେହିପରି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ରେଳଷ୍ଟେଶନରୁ ସେ ବାହାରକୁ ଆସିଥିବା ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଛି। ସୌରଭଙ୍କ ଘରେ ତାଙ୍କର ଲାପଟପ ରହିଥିବା ମଧ୍ୟ ଜଣାପଡିଛି। ବଡ଼ବଜାର ପୋଲିସ ଓ ରେଳବାଇ ପୋଲି କ୍ଷରୁ ତାଙ୍କର ଗତିବିଧି ଉପରେ ଲଗାତାର ଟ୍ରାକିଂ କରାଯାଉଛି ବୋଲି ଟାଉନ ଥାନାଧିକାରୀ ସ୍ବାଇଁ ସୂଚନା ଦେଇଛନ୍ତି।

Breaking News