ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସେଠାକାର ସଂସଦକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ କାଳରେ ମୋଦୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାହସିକତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି ଯେ ବିଜୁ ବାବୁଙ୍କ ଯୋଗୁଁ ଆଜି ଭାରତ ଓ ଇଣ୍ଡୋନେସିଆ ସମ୍ପର୍କରେ ନିବିଡତା ରହିଛି। ସେ କହିଛନ୍ତି ଯେ, ଭାରତ ଓ ଇଣ୍ଡୋନେସିଆ ସମ୍ପର୍କର ଏକ ‘ସୁବର୍ଣ୍ଣ ଯୁଗ’ ଆରମ୍ଭ ହେବାକୁ ଯାଉଛି ଏବଂ ଏହି ସମ୍ପର୍କର ମୂଳଦୁଆ ବା ସ୍ଥପତି ଥିଲେ ବିଜୁ ବାବୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଡଚ୍ ସେନା ଦ୍ବିତୀୟ ଥର ଇଣ୍ଡୋନେସିଆକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରିଥିଲା। ଡଚ୍ ସେନା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁତନ ସାହାରିର୍ ଓ ଉପ-ରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଗୃହବନ୍ଦୀ କରି ରଖିବାସହ ଚାରିପାଖ ସୀମା ସିଲ୍ କରିଦେଇଥିଲେ। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏହି ନେତାମାନଙ୍କୁ ଉଦ୍ଧାର କରି ଦୁନିଆ ସାମ୍ନାରେ ଇଣ୍ଡୋନେସିଆର ସ୍ୱର ଉଠାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ଓଡ଼ିଶାର ଜଣେ ଦକ୍ଷ ପାଇଲଟ୍ ଭାବେ ପରିଚିତ ବିଜୁ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇଥିଲେ। ବିଜୁ ବାବୁ ଏବଂ ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକ (ଯିଏ ନିଜେ ମଧ୍ୟ ଜଣେ ପାଇଲଟ୍ ଥିଲେ) ନିଜର ଡାକୋଟା ବିମାନ ଧରି ଶତ୍ରୁ ସେନାର ଆଖିରେ ଧୂଳି ଦେଇ ଜାଭା ଦ୍ୱୀପରେ ଓହ୍ଲାଇଥିଲେ। ଡଚ୍ କର୍ତ୍ତୃପକ୍ଷ ବିମାନକୁ ଗୁଳି କରି ଖସାଇ ଦେବାର ଧମକ ଦେଇଥିଲେ ମଧ୍ୟ ସେ ଡରିନଥିଲେ ଓ ବିଜୁ ବାବୁ ଇଣ୍ଡୋନେସିଆର ଦୁଇ ବଡ଼ ନେତାଙ୍କୁ ସୁରକ୍ଷିତ ଭାବେ ସିଙ୍ଗାପୁର ଦେଇ ଦିଲ୍ଲୀ ଆଣିଥିଲେ। ଏହି ଅସାଧାରଣ ସାହସିକତା ପାଇଁ ଇଣ୍ଡୋନେସିଆ ସରକାର ବିଜୁ ପଟ୍ଟନାୟକଙ୍କୁ ‘ଭୂମି ପୁତ୍ର’ ଉପାଧିରେ ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆଜିର ଭାଷଣ ପୁଣିଥରେ ଓଡ଼ିଶାର ଗର୍ବ ଓ ଗୌରବକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିଛି।






More Stories
ରନ୍ଓ୍ବେରେ ୨ ବିମାନ ମୁହାଁମୁହିଁ…..
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..
୩୮ ଦୋଷୀଙ୍କୁ ଫାଶୀ,୧୧ ଙ୍କୁ ଆଜୀବନ ଦଣ୍ଡାଦେଶ…..