ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦ୍ର ନୀତି ଆପଣେଇବେକି ରାଜ୍ୟ ମାନେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ସମ୍ପ୍ରସାରଣ ଓ ନୂଆ ଟିମ୍ ଗଠନ ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ କିଛି ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ହେଉଥିଲା। ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍କେତ ଦେଇଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ରଥଯାତ୍ରା ପରେ ନବୀନଙ୍କ ନୂଆ ଟିମ୍ ଗଠନ ହେବ । ତେଣୁ ଏହି ଖବରକୁ ନେଇ ଦଳର ନେତାଙ୍କ ମଧ୍ୟରେ ଛନକା ପଶିଯାଇଛି । ମୋଦୀଙ୍କ ଟିମରୁ ଯେପରି ବହୁ ବରିଷ୍ଠ ନେତାଙ୍କୁ ବିଦ କରାଯଇଛି | ସେହିପରି ନବୀନଙ୍କ ଟିମରୁ ମଧ୍ୟ କିଛି ହେଭିୱେଟ୍ ନେତା ଆଉଟ ହୋଇପାରନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହେଲେ କେଉଁମାନଙ୍କୁ ସ୍ଥାନ ଦିଆଯିବ ସେନେଇ ଚର୍ଚ୍ଚା ଜୋର ଧରିଛି | ଉଲ୍ଲେଖ ଯୋଗ୍ୟ- ଗତ ୨୦୧୯ ବିଧାନସଭା ନିର୍ବାଚନରେ ବୃହତ ବିଜୟ ସହ ସରକାର ଗଠନ କରିଥିବା ବିଜେଡିରେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇଥିଲେ । ସେତେବେଳେ ପ୍ରଥମ ଥର ପାଇଁ ୧୦ ଜଣ ନୂଆ ଚେହେରାଙ୍କୁ ନବୀନ ସ୍ଥାନ ଦେଇଥିଲେ । ନବୀନଙ୍କ ପଞ୍ଚମ ପାଳିକୁ ଇତିମଧ୍ୟରେ ଦୁଇବର୍ଷ ଅତିକ୍ରାନ୍ତ ହୋଇଯାଇଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ମନ୍ତ୍ରୀଙ୍କୁ ନେଇ ସେଭଳି ଗୁରୁତର ଅଭିଯୋଗ ଆସିନାହିଁ । ଏପରିକି କରୋନା କାଳରେ ଦଳର ସମସ୍ତ ମନ୍ତ୍ରୀ ନିଜର କାର୍ଯ୍ୟ ସୁଚାରୁରୂପେ ତୁଲାଇଥିବା ଦେଖିବାକୁ ମିଳିଛି । ତେବେ ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଥିବାରୁ ତାହାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳର ନବେକଳେବର କରାଯିବ ବୋଲି କୁହାଯାଉଛି । ତେବେ ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିଆସୁଥିବା କିଛି ନେତାଙ୍କୁ ଦାୟିତ୍ୱ ମିଳିପାରେ । ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଏନେଇ ଚର୍ଚ୍ଚା ହେଉଛି । ସେହିପରି ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ବଦ୍ରିନାରାୟଣ ପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦୀପ ଅମାତ, ଚନ୍ଦ୍ରସାରଥୀ ବେହେରା ଆଦିଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି । ସବୁବେଳେ ନବୀନଙ୍କ ସ୍ଟ୍ରାଟେଜି କିଛି ଅଲଗା ପ୍ରକାରଥାଏ | ଏଥର ନବୀନ କଣ ନିଷ୍ପତି ନେଉଛନ୍ତି ତାହା ଉପରେ ରହିଛି ନଜର |
Discussion about this post