Report Card Odisha

| Daily Odia News

ନରଦା ମାମଲାରେ ଗିରଫ ୪ ଟିଏମସି ନେତାଙ୍କୁ ଅନ୍ତରିଣ ଜାମିନ ମଞ୍ଜୁର….

ରିପୋର୍ଟ କାର୍ଡ / କୋଲକାତା

ନରଦା ମାମଲାରେ ଗିରଫ ୪ ତୃଣମୂଳ କଂଗ୍ରେସ ନେତାଙ୍କୁ କୋଲକାତା ହାଇକୋର୍ଟ ଆଜି ଅନ୍ତରିଣ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟଙ୍କ କାର୍ଯ୍ୟନିର୍ବାହୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲ, ଜଷ୍ଟିସ୍‌ ଆଇ.ପି.ମୁଖାର୍ଜୀ, ଜଷ୍ଟିସ୍‌ ହରିଶ ଟଣ୍ଡନ, ଜଷ୍ଟିସ୍‌ ସୋମେନ୍‌ ସେନ୍‌ ଓ ଜଷ୍ଟିସ୍‌ ଅରିଜିତ ବାନାର୍ଜୀଙ୍କ ୫ ଜଣିଆ ଖଣ୍ଡପୀଠ ତୃଣମୂଳ ନେତାଙ୍କ ଦ୍ୱାରା କୋର୍ଟଙ୍କ ରହିତାଦେଶ ବିରୋଧରେ ଆଗତ ରିକଲ ପିଟିସନର ଶୁଣାଣି କରିବା ଅବସରରେ ଜାମିନ ପ୍ରଦାନ କରିଛନ୍ତି । ମାମଲାରେ ସିବିଆଇ ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳର ୨ ଜଣ ମନ୍ତ୍ରୀ ଫିରହଦ ହକିମ୍‌, ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଓ ପାର୍ଟିର ପୂର୍ବତନ ନେତା ଶୋଭନ ଚାଟାର୍ଜୀଙ୍କୁ ମେ ୧୭ ତାରିଖ ଦିନ ଗିରଫ କରିଥିଲା । ଗରିଫଦାରୀର ଦିନକ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସେମାନଙ୍କୁ ଜାମିନ ମଞ୍ଜୁର କରିଥିଲେ। ତେବେ କୋର୍ଟଙ୍କ ଦ୍ୱାରା ମଞ୍ଜୁର ଜାମିନ ଉପରେ ସେହି ଦିନ ହାଇକୋର୍ଟଙ୍କ ଏକ ଡିଭିଜନ ବେଞ୍ଚ ରହିତାଦେଶ ଜାରି କରିଥିଲେ। ୨୧ ମେ ବିଳମ୍ବିତ ରାତ୍ରିରେ ଜାରି ଏହି ରହିତାଦେଶରେ ନେତାମାନଙ୍କୁ ଗୃହବନ୍ଦୀ ରଖିବା ଲାଗି ବେଞ୍ଚ ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟଙ୍କ ଏହି ରହିତାଦେଶ ବିରୋଧରେ ୪ ନେତା ଆବେଦନ କରିଥିବା ବେଳେ ଏହି ଶୁଣାଣି ସପ୍ତାହେ ବା ଅଧିକ ସମୟ ଲାଗିପାରେ ବୋଲି ଖଣ୍ଡପୀଠ କହିବା ସହ ସେମାନଙ୍କୁ ପ୍ରଥମେ ଅନ୍ତରିଣ ଜାମିନ ମଞ୍ଜୁର କରିଛନ୍ତି । ସିବିଆଇ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ହାଜର ହୋଇ ସେମାନଙ୍କୁ ଜାମିନ ମଞ୍ଜୁର କରିବା ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେବ ବୋଲି ତର୍କ ରଖିଥିଲେ । ସେହିପରି ନେତାମାନେ ପ୍ରଭାବଶାଳୀ ହୋଇଥିବାରୁ ଜାମିନ ମିଳିଲେ ମାମଲାକୁ ପ୍ରଭାବିତ କରିବାକୁ ଉଦ୍ୟମ କରିପାରନ୍ତି ବୋଲି କହିଥିଲେ। ତେବେ ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍‌ ମୁଖାର୍ଜୀ ଏହି ମାମଲାର ତଦନ୍ତ ୨୦୧୭ ମସିହାରେ ଆରମ୍ଭ ହୋଇଥିବା ଓ ସେତେବେଳେ ସେମାନଙ୍କୁ ଗିରଫ କରାଯାଇ ନଥିବା ବେଳେ ତଦନ୍ତର ସମାପ୍ତି ମଧ୍ୟ ସେମାନଙ୍କ ବିନା ଗିରଫଦାରୀରେ ହୋଇଥିବା କହିଥିଲେ। ଯଦି ବିନା ଗିରଫଦାରୀରେ ମାମଲାର ତଦନ୍ତ ଶେଷ ହୋଇପାରିଲା ଏବେ ସେମାନଙ୍କ ଗିରଫ କାହିଁକି ଜରୁରି ବୋଲି ପ୍ରଶ୍ନ କରିଥିଲେ। କେବଳ ଏଥିପାଇଁ ସେମାନଙ୍କୁ ସେମାନଙ୍କ ସାର୍ବଜନିକ ଦାୟିତ୍ୱ ନିର୍ବାହ କରିବାକୁ ଆମେ ଅଟକାଇ ପାରିବା ନାହିଁ ବୋଲି ଜଷ୍ଟିସ ମୁଖାର୍ଜୀ କହିବା ସହ ଜାମିନ ମଞ୍ଜୁର କରିଛନ୍ତି। କୋର୍ଟ ପ୍ରତ୍ୟକଙ୍କୁ ବ୍ୟକ୍ତିଗତ ୨ ଲକ୍ଷ ଟଙ୍କା ଓ ୨ ଜଣ ଜାମିନଦାରୀଙ୍କ ବଦଳେ ଜାମିନ ପ୍ରଦାନ କରିଥିବା ବେଳେ ସେମାନେ ପ୍ରସଙ୍ଗରେ ଯେପରି ଗଣମାଧ୍ୟମରେ ମୁହଁ ନ ଖୋଲନ୍ତି ସେ ନେଇ ଅଣ୍ଡରଟେକିଂ ଲେଖି ରଖିବାକୁ କହିଛନ୍ତି। ଫଳରେ ବିଧାନସଭା ନିର୍ବାଚନ ପରେ ନରଦା ସ୍କାମକୁ ନେଇ ରାଜ୍ୟ ରାଜନୀତିରେ ଦେଖା ଦେଇଥିବା ହଟଚମଟରେ ବିରାମ ଲାଗିଛି।

 

Breaking News