ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ କଳ୍ପନା ଜଳ୍ପନା ଲାଗିରହିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀର ସମୀକ୍ଷା କରୁଛନ୍ତି । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ଜେଡି ନଡ୍ଡା ପ୍ରାୟ ଚାରି ଘଣ୍ଟା ଧରି ବୈଠକ କରିଥିଲେ। ପଶ୍ଚିମବଙ୍ଗ ରାଜନୀତିରେ ବିଜେପିକୁ ଝଟକା ଲାଗିଥିବା ବେଳେ ଅନ୍ୟ ପଟେ ଏବେ ବିହାର ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। ଏବେ ଜେଡିୟୁ କ୍ୟାବିନେଟ୍ରେ ନିଜର ଭାଗ ଦାବି କରିଛି। ଶନିବାର ଜେଡିୟୁର ରାଷ୍ଟ୍ରୀୟ ସଭାପତି ଆରସିପି ସିଂହ କହିଛନ୍ତି, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଜେଡିୟୁକୁ ମଧ୍ୟ ଭାଗିଦାରୀ ମିଳିବା ଉଚିତ୍। ଗଣମାଧ୍ୟମ ସହ ଆଲୋଚନା ବେଳେ ଆରସିପି କହିଛନ୍ତି, ଏନଡିଏରେ ସାମିଲ ସମସ୍ତ ଦଳକୁ ସମ୍ମାନ ମିଳିବା ଉଚିତ୍। ଆଶା କରୁଛୁ କ୍ୟାବିନେଟ୍ ସଂପ୍ରସାରଣରେ ଜେଡିୟୁକୁ ଉଚିତ୍ ପଦ ମିଳିବ। ଉଲ୍ଲେଖନୀୟ ୨୦୧୯ ଲୋକସଭା ନିର୍ବାଚନରେ ବିହାରର ୪୦ ଆସନରୁ ବିଜେପି ଏବଂ ଜେଡିୟୁ ୧୭ଟି ଲେଖାଏଁ ଆସନରେ ନିର୍ବାଚନ ଲଢିଥିବା ବେଳେ ବାକି ଛଅଟି ଆସନରେ ରାମ ବିଳାସ ପାଶଓ୍ଵାନଙ୍କ ପାର୍ଟି ଏଲଜେପି ଲଢିଥିଲା। ନୀତିଶ କୁମାର କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଅଧିକ ମନ୍ତ୍ରୀ ପଦ ପାଇବାକୁ ଆଶା ରଖିଥିଲେ। କାରଣ ଛଅଟି ଆସନ ଲଢିଥିବା ଏଲଜେପିକୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଜାଗା ମିଳିଥିଲା। ସେହି ସମୟରେ ରାମବିଲାସ ପାସଓ୍ଵାନଙ୍କୁ କ୍ୟାବିନେଟ୍ରେ ସ୍ଥାନ ମିଳିଥିଲା। ଏସବୁକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚାହୁଁଥିଲେ ଯେ, ତାଙ୍କ ପାର୍ଟିରୁ ଅତି କମରେ ତିନି ଜଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ। ତେବେ ୨୦୧୯ ନିର୍ବାଚନରେ ୩୦୩ ଆସନ ଜିତିଥିବା ବିଜେପି ସରକାରରେ ସାମିଲ ହେବାକୁ ଜେଡିୟୁ ମନା କରି ଦେଇଥିଲା। ସେହି ସମୟରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ଥିଲେ। ସେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଜେଡିୟୁରୁ ମାତ୍ର ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବା ନେଇ ଅସନ୍ତୁଷ୍ଟ ଥିଲେ। ତେଣୁ ଅନ୍ତିମ ମୁହୂର୍ତ୍ତରେ ମୋଦୀ ସରକାରରେ ସାମିଲ ନହେବାକୁ ସେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ନୀତିଶ କୁମାର ମୋଦୀ କ୍ୟାବିନେଟ୍ରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି
More Stories
ମୋର ଶକ୍ତି ୧୦୦ ଗୁଣ ବଢ଼ିଯାଇଛି…..
କେଜ୍ରିୱାଲ ଙ୍କୁ ମିଳିଲା ଜାମିନ……
ବଡ଼ ପାଟିରେ ମିଛ କହିଲେ ସତ ହୋଇଯା ନାହିଁ: ନବୀନ…..