Report Card Odisha

| Daily Odia News

ବ୍ଲାକ ଫଙ୍ଗସ୍ ଔଷଧକୁ ଟିକସମୁକ୍ତ,କରୋନାରେ ବ୍ୟବହୃତ ଔଷଧ ଏବଂ ଅନ୍ୟ ସାମଗ୍ରୀ ଉପରେ ଜିଏସଟି ହ୍ରାସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜିଏସଟି ପରିଷଦ ବ୍ଲାକ ଫଙ୍ଗସ୍ ଔଷଧକୁ ଟିକସମୁକ୍ତ କରିଛନ୍ତି। ବସ୍ତୁ ଓ ସେବା କର(ଜିଏସଟି)ର ପରିଷଦର ୪୪ତମ ବୈଠକ ଶନିବାର ଅନୁଷ୍ଠିତ ହୋଇଛି। କରୋନାରେ ବ୍ୟବହୃତ ସାମଗ୍ରୀ ଉପରେ ମନ୍ତ୍ରୀ ସମୂହଙ୍କ ସୁପାରିସକୁ ଜିଏସଟି ପରିଷଦ ସ୍ଵୀକାର କରି ନେଇଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ବ୍ଲାକ ଫଙ୍ଗସ୍ ଔଷଧକୁ ଟିକସମୁକ୍ତ କରିଥିବା ନେଇ ସୂଚନା ମିଳିଛି । ଏହା ବ୍ୟତୀତ କରୋନା ପାଇଁ ବ୍ୟବହୃତ ଔଷଧ ଏବଂ ଅନ୍ୟ ସାମଗ୍ରୀ ଉପରେ ଜିଏସଟି ହ୍ରାସ କରାଯାଇଛି। ଜିଏସଟି ପରିଷଦ କରୋନା ଭ୍ୟାକ୍ସିନ ଉପରେ ୫ ପ୍ରତିଶତ ଜିଏଟସି ଜାରି ରଖିଛନ୍ତି। ରେମଡେସିଭିର ଔଷଧ ଉପରେ ଜିଏସଟି କମ କରାଯାଇ ୧୨ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି। ସୀତାରମଣ କହିଛନ୍ତି, କେନ୍ଦ୍ର ସରକାର ୭୫ ପ୍ରତିଶତ ଭ୍ୟାକ୍ସିନ କ୍ରୟ କରୁଛନ୍ତି ଏବଂ ଏହା ଉପରେ ଜିଏସଟି ମଧ୍ୟ ଭରୁଛନ୍ତି। ଏଥିରେ ଜନତାଙ୍କୁ ମାଗଣାରେ ଟିକା ମିଳିବ ଏବଂ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ। ସେହି ପରି ଟୋସିଲିଜୁମାବ, ଆମ୍ପୋଟେରିସିନ-ବି ଉପରେ କୌଣସି ଟିକସ ଲାଗିବ ନାହିଁ। ପୂର୍ବରୁ ଏହି ଦୁଇଟି ଔଷଧ ଉପରେ ଜିଏସଟି ଲାଗୁଥିଲା। ସେହି ପରି କୋଭିଡ୍ ଚିକିତ୍ସାରେ ବ୍ୟବହୃତ ସରଞ୍ଜାମ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଇଛି। ଭେଣ୍ଟିଲେଟର, ଅକ୍ସିଜେନ କନସେନଟ୍ରେଟର ଉପରୁ ଜିଏସଟି ୧୨ ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। କୋଭିଡ୍ ଟେଷ୍ଟ କିଟ୍‌ ଉପରୁ ମଧ୍ୟ ଜିଏସଟି ହ୍ରାସ କରାଯାଇ ୧୨ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି। ଅକ୍ସିମିଟର, ସାନିଟାଇଜର, ଉତ୍ତାପମାପକ ଯନ୍ତ୍ର ଉପରେ ଜିଏସଟି ୫ ପ୍ରତିଶତ କମ କରାଯାଇଛି। ଏପରିକି ଆମ୍ବୁଲାନ୍ସ ଉପରୁ ମଧ୍ୟ ଟିକସ ୨୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ବୈଠକରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିଥ ଥିଲେ। ଏହା ବ୍ୟତୀତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ସାମିଲ ହୋଇଥିଲେ।

Breaking News