ରିପୋର୍ଟ କାର୍ଡ / ନୂଆପଡ଼ା
ମା’ ମୃତ୍ୟୁମୁଖରେ ପଡିଥିବା ଦେଖି ଆଖି ପିଛୁଳାକେ କୂଅ ଭିତରକୁ ଡେଇଁ ପଡ଼ିଥିଲା ପୁଅ । ଉଦ୍ଧାର ହେବା ପର୍ଯ୍ୟନ୍ତ ସେ ମା’ଙ୍କୁ ସୁରକ୍ଷିତ ଭାବେ ଧରି କୂଅ ଭିତରେ ରହିଥିଲା । ଏଭଳି ହୃଦୟ ସ୍ପର୍ଶି ଘଟଣା ନୂଆପଡ଼ା ଜିଲ୍ଲା କୋମନା ବଙ୍ଗଲାପଡ଼ାରେ ଘଟିଛି। ସୂଚନା ଅନୁଯାୟୀ, ଆଜି ସକାଳେ କୋମନା ବଙ୍ଗଲାପଡ଼ାର ୬୬ ବର୍ଷୀୟା ଶଶିପ୍ରଭା ପାଣିଗ୍ରାହୀ ନିଜ କୂଅ ଚାନ୍ଦିନୀରେ ବସିଥିଲେ । ମାତ୍ର ଅସାବଧାନତା ହେତୁ ସେ ହଠାତ୍ କୂଅରେ ପଡ଼ି ଯାଇଥିଲେ । ତାଙ୍କ ପୁଅ ସତ୍ୟନାରାୟଣ ଏହା ଦେଖିଥିଲେ। ଫଳରେ ମା’ଙ୍କୁ ରକ୍ଷା କରିବାକୁ ସେ ବି ସଙ୍ଗେ ସଙ୍ଗେ ୨୦ ଫୁଟ୍ ଗଭୀର କୂଅକୁ ଡେଇଁ ପଡ଼ିଥିଲେ। ଉଭୟ ପ୍ରାୟ ଅଧ ଘଣ୍ଟା କାଳ କୂଅ ଭିତରେ ଫସି ରହିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ପୁଅକୁ ପ୍ରଶଂସା କରିବା ସହିତ ପୁଅ ହବ ତ ଏମିତି ବୋଲି କହୁଛନ୍ତି।
Discussion about this post