Report Card Odisha

| Daily Odia News

ନିଟ୍-ପିଜି ଓ ନିଟ୍-ୟୁଜି ପାଠ୍ୟକ୍ରମ ନାମଲେଖାରେ ଓବିସି ସଂରକ୍ଷଣ କାଏମ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିଟ୍-ପିଜି ଓ ନିଟ୍-ୟୁଜି ଭଳି ଡାକ୍ତରୀ ପାଠ୍ୟକ୍ରମ ନାମଲେଖାରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କୁ ୨୭% ସଂରକ୍ଷଣ ସୁବିଧା ପ୍ରଦାନ କରାଯିବ। ସେହିପରି ଆର୍ଥିକ ଅନଗ୍ରସର ପ୍ରାର୍ଥୀଙ୍କୁ ୧୦% ସଂରକ୍ଷଣ ସୁବିଧା ପ୍ରଦାନ କରାଯିବ ବୋଲି ଗୁରୁବାର ସର୍ବୋଚ୍ଚ ଅଦାଲତ ପୁନର୍ବାର ତାଙ୍କ ରାୟରେ ଦୋହରାଇଛନ୍ତି। ଜାନୁଆରୀ ୭ ତାରିଖରେ ସର୍ବୋଚ୍ଚ ଅଦାଲତ ଅନୁରୂପ ନିର୍ଦେଶ ଦେଇଥିଲେ। ଇଡବ୍ଲ୍ୟୁଏସ୍‌ ସଂରକ୍ଷଣ ସୁବିଧା ପାଇଁ ବର୍ତ୍ତମାନର ମାନଦଣ୍ଡ (ବାର୍ଷିକ ମୋଟ ୮ଲକ୍ଷରୁ କମ୍ ଆୟ କରୁଥିବା ପରିବାର) ଗ୍ରହଣ କରାଯିବ। ଆଜିର ଏହି ସଂରକ୍ଷଣ ପ୍ରସଙ୍ଗ ଶୁଣାଣି ବେଳେ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ବିଚାରପତି ଏଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତଙ୍କ ପୀଠ କହିଛନ୍ତି ଯେ ଅଧିକ ନମ୍ବରକୁ ଏକମାତ୍ର ଯୋଗ୍ୟତା ମାନଦଣ୍ଡ ଭାବେ ବିବେଚନା କରାଯାଇପାରିବ ନାହିଁ। ସାମାଜିକ ଓ ଆର୍ଥିକ ପୃଷ୍ଠଭୂମିକୁ ମଧ୍ୟ ନିଶ୍ଚିତ ରୂପେ ଯୋଗ୍ୟତା ମାନଦଣ୍ଡ ଭାବେ ଆଧାର କରାଯିବା ଦରକାର। ଅନୁନ୍ନତତାର ପ୍ରତିକାର କରିବାକୁ ଯାଇ ସଂରକ୍ଷଣର ଭୂମିକାକୁ ଉଚ୍ଛେଦ କରାଯାଇ ପାରିବନାହିଁ। ସଂରକ୍ଷଣ ବ୍ୟବସ୍ଥା ମେଧାବୀ ମନୋନୟନ କ୍ଷେତ୍ରରେ ପ୍ରତିବନ୍ଧକ ନୁହେଁ; ବରଂ ସାମାଜିକ ନ୍ୟାୟର ବଣ୍ଟନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରୁଛି। ତେଣୁ ଓବିସି ଓ ଇଡବ୍ଲ୍ୟୁଏସ୍‌ଙ୍କୁ ଚଳିତ ଶିକ୍ଷାବର୍ଷରେ ସଂରକ୍ଷଣ ସୁବିଧା ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇପାରିବ ନାହିଁ। ପୀଠ କହିଛନ୍ତି, ସଂରକ୍ଷଣ ନିମନ୍ତେ ଥିବା ନୀତିନିୟମ ସମ୍ପର୍କରେ ଦୁଇ ପକ୍ଷଙ୍କ କଥା ନ ଶୁଣି ଦରିଦ୍ର ଏବଂ ସବୁଠୁ ଦରିଦ୍ର ଚିହ୍ନଟ ବିନା ଯୋଗ୍ୟତା ନୀତି ଉପରେ ରାୟ ଦେବା ସମ୍ଭବ ନୁହେଁ। ସମାନତା ସମ୍ବନ୍ଧରେ ଥିବା ଧାରା ୧୫ (୪) ଏବଂ ଧାରା ୧୫(୫) ଦୃଷ୍ଟାନ୍ତ ଦେଇ ଅଦାଲତ କହିଛନ୍ତି ଯେ ପ୍ରତିଯୋଗିତାମୂଳକ ପରୀକ୍ଷା ବ୍ୟକ୍ତିବିଶେଷଙ୍କ ପାରଦର୍ଶିତା ଏବଂ ସାମର୍ଥ୍ୟ ପ୍ରତିପାଦନ କରେ ନାହିଁ। ଏହା କେତେକ ବର୍ଗଙ୍କ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ କ୍ଷମତାର ପ୍ରତିଫଳନ କରେ ନାହିଁ।

Breaking News