Report Card Odisha

| Daily Odia News

କ୍ୟାବିନେଟ୍‌ ବୈଠକରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପ୍ରତିଷ୍ଠା ହେବ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏସଂର୍କରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ପୌରପାଳିକାରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ସର୍ବାଧିକ ୪୫ ବର୍ଗ ମିଟର ଏବଂ ଏନ୍‌ଏସିରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ସର୍ବାଧିକ ୬୦ ବର୍ଗ ମିଟର ପରିମିତ ଜମି ଅଧିକାର ଦିଆଯିବ। ଓଡିଶା ବସ୍ତି ବାସିନ୍ଦାଙ୍କ ପାଇଁ ଜମି ଅଧିକାର ଅଧିନିୟମରେ ସଂଶୋଧନ ପ୍ରସ୍ତାବ ପାରିତ ହୋଇ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ୍‌-୨୦୨୧ର ବିଲ୍ ଆସିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। କ୍ୟାବିନେଟ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତି ସଂପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ ରାଉରକେଲାରେ ଅନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ ନିର୍ମାଣ ରହିଛି। କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ମୋଟ୍‌ ୩୬୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୧୬ ମାସ ଭିତରେ ପ୍ରକଳ୍ପ ଶେଷ ହେବ। ସେହିପରି ଓଡ଼ିଶା ଭେଷଜ ନିୟନ୍ତ୍ରାଳୟ ସେବା ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ନିୟମ ୨୦୨୦ରେ କ୍ୟାବିନେଟ ମୋହର ବାଜିଛି। ସର୍ବାଧିକ ୯୭ଟି ପଦବୀ ଓଡ଼ିଶା ଭେଷଜ ନିୟନ୍ତ୍ରାଳୟରେ ମଞ୍ଜୁରୀ ଲାଭ କରିଛି। ଜନଜାତି ବର୍ଗରେ ପିଲାଙ୍କୁ ସେମାନଙ୍କ ମାତୃଭାଷାରେ ପାଠ ପଢ଼ାଇବା ପାଇଁ ଠିକାରେ ନିଯୁକ୍ତି ହୋଇଥିବା ଶହେ ପଦବୀକୁ ନିୟମିତ କରିବାକୁ ମଧ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାସହ ଖାଉଟି ସାମଗ୍ରୀ ଯୋଗାଉଥିବା ବେସରକାରୀ ଡିଲରଙ୍କ ଲାଇସେନ୍ସକୁ ଆଉ ୬ ମାସ ପାଇଁ ବୃଦ୍ଧି କରାଯାଇଛି। ସେହିପରି ଖଣିଜ ପଦାର୍ଥ ନିୟମ ୨୦୦୭ର ସଂଶୋଧନ ପ୍ରସ୍ତାବରେ ମଧ୍ୟ ବାଜିଛି କ୍ୟାବିନେଟ ମୋହର।

Breaking News