Report Card Odisha

| Daily Odia News

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ…..

ରିପୋର୍ଟ କାର୍ଡ / ପୁରୀ

ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ, କେତେକ ରାଜ୍ୟରେ ସଂକ୍ରମଣ ସ୍ଥିତି ଅଣାୟତ୍ତ ରହିଛି | ରାଜ୍ୟ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ମାସରୁ ରବିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସେଦିନ ଶ୍ରୀମନ୍ଦିର ପରିସର ଏବଂ ବ୍ୟାରିକେଡ ବିଶୋଧନ କରାଯିବ। ଏ ସମ୍ପର୍କରେ ଶୀଘ୍ର ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣ ରୋକିବା ପାଇଁ ପରିବର୍ତ୍ତିତ ଦର୍ଶନ ବ୍ୟବସ୍ଥାବଳି (ଏସ୍ଓପି) ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ସବୁ ସେବକଙ୍କୁ କରୋନା ଟିକା ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଶ୍ରୀମନ୍ଦିରରେ କୋଭିଡ କଟକଣା କଡ଼ାକଡ଼ି କାର୍ଯ୍ୟକାରୀ ନିମନ୍ତେ ବୈଠକରେ ସ୍ଥିର ହୋଇଛି। ସକାଳେ ମନ୍ଦିର ଦ୍ବାର ଖୋଲିବା ଏବଂ ମଙ୍ଗଳଆଳତି ବିଳମ୍ବ ହେଉଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ସେବାପୂଜା ଏବଂ ଭୋଗ କରିବା ପାଇଁ ସେବକଙ୍କୁ ପରାମର୍ଶ େଦଇଛି ମନ୍ଦିର ପ୍ରଶାସନ। ଠାକୁରଙ୍କ ସୁନାବେଶ ସମୟରେ କେତେ ସଂଖ୍ୟକ ପୁଷ୍ପାଳକ ଏବଂ ଭଣ୍ଡାର ମେକାପ ରହିବେ ଶ୍ରୀମନ୍ଦିର ସ୍ବତ୍ତ୍ବଲିପିକୁ ଭିତ୍ତିକରି ନିଷ୍ପତ୍ତି ଗ୍ରହଣ କରାଯିବ। ୨୦୨୧-୨୨ ଶ୍ରୀମନ୍ଦିର ବଜେଟ ଅନୁମୋଦନ ସମ୍ପର୍କରେ ପଚାରିବାରୁ ମୁଖ୍ୟ ପ୍ରଶାସକକହିଲେ ଅର୍ଥ ସବ୍କମିଟି ଦ୍ବାରା ପ୍ରସ୍ତୁତ ବଜେଟ୍ ଅନୁମୋଦନ କରାଯାଇଛି। ପୁଣି କରୋନା ସଂକ୍ରମଣ ଦେଖା ଦେଇଥିବାରୁ ଠାକୁରଙ୍କ ନୀତିକାନ୍ତି ଯେପରି ବାଧାପ୍ରାପ୍ତ ନ ହୁଏ ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଜିଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂହ, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ ଏବଂ ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା, ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ। ଠାକୁରଙ୍କ ଅଗ୍ନିଉତ୍ସବ, ଦୋଳପୂର୍ଣ୍ଣିମା ଏବଂ ହୋଲି ନୀତି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି।

Breaking News