ରିପୋର୍ଟ କାର୍ଡ / ଭୁବନେଶ୍ୱର
‘କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି ।’ ଏହି ଲୋକକଥାଟି ପ୍ରତ୍ୟେକ ଓଡ଼ିଆଙ୍କୁ ଭବିଷ୍ୟତ ଗଢ଼ିବାରେ ପ୍ରେରଣା ଦିଏ। ଏହାକୁ ନେଇ ମଧୁବାବୁଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୁଅନ୍ତି ଲୋକେ | ବହୁ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ, ସ୍ବାଧୀନତା ସଂଗ୍ରାମୀ, ବାରିଷ୍ଟର, ଉତ୍କଳ ସମ୍ମିଳନୀର ପ୍ରାଣପ୍ରତିଷ୍ଠାତା, ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର, ସ୍ବାଭିମାନୀ ପୁରୁଷ ଉତ୍କଳଗୌରବ ମଧୁସୂଦନ ଦାସଙ୍କ- ତ୍ୟାଗ, ସେବା, ପରୋପକାର ଓ ଦେଶପ୍ରେମ ଯୁଗଯୁଗ ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥାଏ। ଆଜି ଓଡ଼ିଶାର ଯୁଗ ଶ୍ରଷ୍ଟା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ | ପ୍ରତିବର୍ଷ ଏପ୍ରିଲ ୨୮ତାରିଖରେ ଓଡ଼ିଶାବାସୀ ମନେପକାଇଥାନ୍ତି ମଧୁବାବୁଙ୍କୁ। ୧୮୪୮ ଏପ୍ରିଲ ୨୮ତାରିଖରେ କଟକ ଜିଲ୍ଲା ସତ୍ୟଭାମାପୁରରେ ମଧୁସୂଦନ ଦାସ ଜନ୍ମ ଲାଭ କରିଥିଲେ | ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ, ମାତା ପାର୍ବତୀ ଦେବୀ। ସେ ଥିଲେ ଦୁଇଭାଇ ଗୋବିନ୍ଦ ବଲ୍ଲଭ ଏବଂ ଗୋପାଳ ବଲ୍ଲଭ। ଗୋବିନ୍ଦ ବଲ୍ଲଭ ପରବର୍ତ୍ତୀ ପର୍ଯ୍ୟାୟରେ ବାରିଷ୍ଟର ମଧୁସୂଦନ ଦାସ ଏବଂ ଓଡ଼ିଆର ପ୍ରତି ହୃଦୟର ଉତ୍କଳ ଗୌରବ ମଧୁବାବୁ ରୂପେ ପରିଚିତ ହୋଇଥିଲେ। ପିଲାଟି ଦିନରୁ ବାଲ୍ୟଶିକ୍ଷା ମାଟିବଂଶ ଅବଧାନଙ୍କ ପାଖରେ ଆରମ୍ଭ କରିଥିଲେ। ସ୍ଥାନୀୟ ମହାସିଂହପୁର ମେଟ୍କାଫ୍ ସ୍କୁଲଶିକ୍ଷା ସମାପ୍ତି ପରେ ସେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ପାଠ ପଢ଼ିଥିଲେ। ୧୮୬୪ରେ ମାଟ୍ରିକ୍ ପାଶ୍, ୧୮୬୮ରେ ଏଫ୍.ଏ.ଆଇ.ଏ. ପାସ୍, ୧୮୭୦ରେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍ ଭାବେ କଲିକତାରୁ ବି.ଏ., ୧୮୭୩ରୁ ପ୍ରଥମ ଓଡ଼ିଆ ଭାବେ କଲିକତା ବିଶ୍ୱବିଦ୍ୟାଳୟରେ ଏମ୍.ଏ., ୧୮୭୮ରେ ବି.ଏଲ୍. ଆଇନ୍ ପାଶ୍ ଓ ପ୍ରଥମ ଓଡ଼ିଆ ଓକିଲ, କିନ୍ତୁ ମଧୁବାବୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ବପ୍ନ ଦେଖିଥିଲେ। ଏଥିପାଇଁ ୧୯୦୩ରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠାକରି ଓଡ଼ିଆ ଭାଷା, ସଂସ୍କୃତି ଓ ଜାତିର ଉନ୍ନତି କରିଥିଲେ। ଦେଶ ଜାତିର ଉନ୍ନତି ପାଇଁ ତାଙ୍କର ଅନେକ ଲେଖାରେ ଆହ୍ବାନ ଦେଇଥାନ୍ତି।୧୯୦୪ରେ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରିଥିଲେ। ୧୯୧୩ରେ ବିହାର ଓଡ଼ିଶା ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ। ୧୯୩୪ ଫେବୃୟାରୀ ୪ତାରିଖରେ ତାଙ୍କର ନିଧନ ଘଟିଥିଲା। ସମୟ କ୍ରମେ ମଧୁବାବୁଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ତାଙ୍କର ଝିଆରୀ ରମା ଦେବୀ କସ୍ତୁରବା ସ୍ମାରକନିଧି ଟ୍ରଷ୍ଟ ହାତରେ ଅର୍ପଣ କରିଦେଇଥିଲେ।
More Stories
ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅରୁଣ କହିଲେ….
କଂଗ୍ରେସର ୧୨ ବିଧାୟକ ନିଲମ୍ବିତ……
ଭିଜିଲାନ୍ସ ଜାଲରେ ପତି-ପତ୍ନୀ…..