Report Card Odisha

| Daily Odia News

ପଞ୍ଜଶିରରେ ତାଲିବାନ ସହ ଲଢେଇ କରୁଥିବା ନର୍ଦର୍ଣ୍ଣ ଆଲାଏନ୍ସର ମୁଖପାତ୍ର ଫହିମ ଦସ୍ତି ନିହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜଶିରରେ ତାଲିବାନ ଆତଙ୍କିଙ୍କ ସହିତ ଲଢେଇ କରୁଥିବା ନର୍ଦର୍ଣ୍ଣ ଆଲାଏନ୍ସର ମୁଖପାତ୍ର ଫହିମ ଦସ୍ତି ମୃତ୍ୟୁ ଘଟିଛି । ରବିବାର ପଞ୍ଜଶୀରରେ ରେଜିଷ୍ଟାନ୍ସ ଫୋର୍ସ ଓ ତାଲିବାନ ମଧ୍ୟରେ ଘମାଘୋଟ ଲଡେଇ ଚାଲିଛି । ତାଲିବାନ ଆତଙ୍କିଙ୍କ ଗୁଳିରେ ଫହିମ ଦସ୍ତିଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଏହା ନର୍ଦର୍ଣ୍ଣ ରେଜିଷ୍ଟାନ୍ସ ଫ୍ରଣ୍ଟ ପାଇଁ ଶକ୍ତ ଧକ୍କା ହୋଇଛି। ଇତିମଧ୍ୟରେ ପଞ୍ଜଶିର ସୁରକ୍ଷା ପାଇଁ ଲଢେଇ କରୁଥିବା ଯୋଦ୍ଧାଙ୍କର ନେତୃତ୍ୱ ନେଉଥିବା ଅହମଦ ମାସୁଦ ଯୁଦ୍ଧ ବିରତି ସହିତ ତାଲିବାନ ଗୋଷ୍ଠୀ ସେଠାରୁ ଫେରିଯିବାକୁ ଆହ୍ୱାନ ଦେଇଛନ୍ତି। ଗତ ସପ୍ତାହ ଶେଷଭାଗରେ ଏହି ଗୋଷ୍ଠୀ ତାଲିବାନ ଆକ୍ରମଣରେ ବିପୁଳ କ୍ଷତିକ୍ଷତିର ସମ୍ମୁଖୀନ ହୋଇଥିବା କେତେକ ସୂଚ୍ରରୁ ଜାଣିବାକୁ ମିଳିଛି। ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ପଞ୍ଜଶିରକୁ ସୁରକ୍ଷିତ ରଖିବାକୁ ତାଲିବାନ ବିରୁଦ୍ଧରେ ଲଢେଇ କରିବାକୁ ଘୋଷଣା କରିଥିବା ଏହି ଗୋଷ୍ଠୀ ଶେଷରେ ତାଲିବାନ ନିକଟରେ ସର୍ତ୍ତ ରଖିଛି। ନର୍ଦର୍ଣ୍ଣ ରେଜିଷ୍ଟାନ୍ସ ଫ୍ରଣ୍ଟର ନେତୃତ୍ୱ ନେଉଥିବା ଅହମଦ ମାସୁଦ କହିଛନ୍ତି ଉକ୍ତ ଅଞ୍ଚଳରେ ସ୍ଥାୟୀ ଶାନ୍ତି ପାଇଁ ସେମାନେ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ଅଛନ୍ତି। ତାଲିବାନ ଯଦି ପଞ୍ଜଶିର ଏବଂ ଆନ୍ଦ୍ରାବରେ ଆକ୍ରମଣ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରେ, ତେବେ ସେମାନେ ଯୁଦ୍ଧ ବନ୍ଦ କରିବାକୁ ରାଜି ଅଛନ୍ତି। ଏଥିସହିତ ସେ ବିଦ୍ୱାନ ଏବଂ ସଂସ୍କାରକମାନଙ୍କ ସହିତ ବୈଠକରେ ମିଳିତ ହୋଇ ଆଲୋଚନା ଜାରି ରଖିବା ସୂଚନା ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପଞ୍ଜଶିର ଉପତ୍ୟକା କାବୁଲ ଠାରୁ ପ୍ରାୟ ୧୫୦ କିଲୋମିଟର ଦୂର ଉତ୍ତରକୁ ଅବସ୍ଥିତ ଏବଂ ତାଲିବାନ ଏପର୍ଯ୍ୟନ୍ତ ଉକ୍ତ ଅଞ୍ଚଳ ନିଜ ଦଖଲକୁ ନେବାରେ ସଫଳ ହୋଇନାହିଁ। ଏହା ପଞ୍ଜଶିରରେ ରେଜିଷ୍ଟାନ୍ସ ବାହିନୀ ପକ୍ଷରୁ କଡା ମୁକାବିଲାର ସମ୍ମୁଖୀନ ହେଉଛି। ଶୁକ୍ରବାର ରାତିରେ ଜୋରଦାର ଆକ୍ରମଣରେ ପଞ୍ଜଶିର ରେଜିଷ୍ଟାନ୍ସ ବାହିନୀର ଅନେକ ଲଢୁଆ ମୃତାହତ ହୋଇଥିବା କୁହାଯାଉଛି। ଏହା ଯେକୌଣସି ସମୟରେ ତାଲିବାନ ହାତରେ ପଡିପାରେ ବୋଲି ସାମାଜିକ ଗଣମାଧ୍ୟମରେ କୁହାଯାଉଥିବାବେଳେ ନର୍ଦର୍ଣ୍ଣ ରେଜଷ୍ଟାନ୍ସ ବାହିନୀ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ଇତିମଧ୍ୟରେ ରେଜିଷ୍ଟାନ୍ସ ବାହିନୀର ମୁଖପାତ୍ର ତଥା ଜଣେ ସୁପରିଚିତ ସାମ୍ବାଦିକ ଫହିମ ଦସ୍ତିଙ୍କ ନିଧନ ସମ୍ପର୍କରେ ରେଜିଷ୍ଟାନ୍ସ ବାହିନୀର ବୈଦେଶିକ ବ୍ୟାପାର ବିଭାଗ ମୁଖ୍ୟ ଅଲି ମୈସାମ ନଜାରେ ସ୍ପଷ୍ଟ କରିଛନ୍ତି। ଏକ ସୂତ୍ର ଅନୁଯାୟୀ ଦସ୍ତ ଜମାତ ଇ ଇସଲାମି ପାର୍ଟିର ଜଣେ ସଦସ୍ୟ ଥିଲେ। ତାହାସହିତ ସେ ଫେଡେରେସନ ଅଫ ଆଫଗାନ ଜର୍ଣ୍ଣାଲିଷ୍ଟସର ଜଣେ ସଦସ୍ୟ ମଧ୍ୟ ରହିଥିଲେ। ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ଘଟଣାକ୍ରମରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶିର ଛାଡି ତାଜିକିସ୍ତାନକୁ ପଳାଇ ଯାଇଛନ୍ତି। ପୂର୍ବରୁ ତାଙ୍କ ଝିଅ କହିଥିଲେ ଯେ ସାଲେହଙ୍କ ପରିବାର କାବୁଲରେ ଆତ୍ମଗୋପନ କରିଛନ୍ତି। ତାଲିବାନ ଆତଙ୍କିମାନେ ସାଲେହଙ୍କ ଘର ଉପରେ ବଡଧରଣର ଆକ୍ରମଣ କରି ତାକୁ ନଷ୍ଟ କରିଦେଇଥିବା ଖବର ମଧ୍ୟ ମିଳିଛି। ।

Breaking News