Report Card Odisha

| Daily Odia News

ଟୋକିଓ ପାରାଲିମ୍ପିକ୍ସ ଉଦ୍‌ଯାପିତ, ଭାରତ ଆଣିଛି ଐତିହାସିକ ସଫଳତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଳୀ

ଦୀର୍ଘ ୧୩ ଦିନଧରି ଚାଲିଥିବା ଟୋକିଓ ପାରାଲିମ୍ପିକ୍‌ସ ଶେଷ ହୋଇଛି | ଭାରତୀୟ ପାରା କ୍ରୀଡ଼ାବିତ୍‌ମାନେ ଟୋକିଓରେ ଚମକପ୍ରଦ ପ୍ରଦର୍ଶନ କରିବା ସହିତ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି। ଭାରତ ଶ୍ରେଷ୍ଠ ସଫଳତା ସହ ଟୋକିଓ ପାରାଲିମ୍ପିକ୍ସରେ ୧୯ଟି ପଦକ ଜିତି ୨୪ତମ ସ୍ଥାନ ହାସଲ କରିଛି। ରବିବାର ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ ଉତ୍ସବ ସହ ଟୋକିଓ ପାରାଲିମ୍ପିକ୍‌ସ ଉଦ୍‌ଯାପିତ ହୋଇଯାଇଛି। ଆତିଥ୍ୟ ପ୍ରଦାନ କରିଥିବା ଜାପାନବାସୀ ସାରାବିଶ୍ବକୁ ବିଦାୟ ନେଇଛନ୍ତି। ୩ ବର୍ଷ ପରେ ପ୍ୟାରିସ୍‌ରେ ୧୭ଶ ପାରାଲିମ୍ପିକ୍‌ସ ଆୟୋଜନ ହେବ। ପ୍ରଥମେ ସଂଗୀତ ଓ ନୃତ୍ୟରେ ଉଦ୍‌ଯାପନୀ ଉତ୍ସବ ଆରମ୍ଭ ହୋଇଥିଲା। ଆଗକୁ ବଢ଼ିବାର ବାର୍ତ୍ତା ନେଇ ଏହି ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଜାପାନର ଜାତୀୟ ପତାକା ଟୋକିଓର ଅଲିମ୍ପିକ୍‌ କ୍ରୀଡ଼ାଙ୍ଗନକୁ ଆସିଥିଲା ଏବଂ ପରେ ଜାପାନର ଜାତୀୟ ସଂଗୀତ ଗାନ କରା ଯାଇଥିଲା। ଏହାପରେ ସମସ୍ତ ପ୍ରତିଯୋଗୀ ଦେଶଙ୍କ ଧ୍ବଜା ବହନକାରୀ ପଡ଼ିଆ ମଧ୍ୟକୁ ଆସିଥିଲେ। ପ୍ରତିଯୋଗିତାରେ ଭାରତର ସର୍ବବୃହତ ୫୪ଜଣିଆ ଦଳ ୯ଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିଥିଲେ। ବନ୍ଧୁକ ଚାଳନାରେ ୧୯ ବର୍ଷ ବୟସ୍କା ଅବନୀ ଏକ ସ୍ବର୍ଣ୍ଣ ଓ କାଂସ୍ୟ ସହ ୨ଟି ପଦକ ଜିତିଥିବା ଅବନୀ ଲାଖାରା ଭାରତୀୟ ଜାତୀୟ ପତାକା ବହନ କରିଥିଲେ। ଏହି ପ୍ରତିଯୋଗିତାରେ ଭାରତର ୫୪ ଜଣ ପାରା ଆଥ୍‌ଲେଟ୍‌ ଭାଗ ନେଇଥିବା ବେଳେ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ସହ ମୋଟ ୧୯ଟି ପଦକ ଜିତି ୨୪ତମ ସ୍ଥାନରେ ରହିଥିଲା। ପାରାଲିମ୍ପିକ୍‌ସର ୧୬ଶ ସଂସ୍କରଣରେ ୧୬୨ଟି ଦେଶରୁ ମୋଟ ୪,୫୩୭ କ୍ରୀଡ଼ାବିତ୍‌ ଭାଗ ନେଉଛନ୍ତି। ସେମାନେ ୨୨ଟି କ୍ରୀଡ଼ାର ୫୪୦ଟି ଇଭେଣ୍ଟରେ ଭାଗ ନେଇଥିଲେ।

Breaking News