ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜଶୀର ପ୍ରଦେଶରେ ତାଲିବାନ ଆଡ୍ଡାକୁ ଟାର୍ଗେଟ କଲା ଅଜ୍ଞାତ ସାମରିକ ବିମାନ। ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶକୁ ସମ୍ପୂର୍ଣ୍ଣ ଦଖଲ କରିଥିବା ନେଇ ତାଲିବାନ ଦାବି କରିବାର ଗୋଟିଏ ଦିନ ପରେ ଅଜ୍ଞାତ ସାମରିକ ବିମାନ ପଞ୍ଜଶୀର ପ୍ରଦେଶରେ ଥିବା ତଲିବାନର ଆଡ୍ଡାକୁ ଟାର୍ଗେଟ କରିଛି। ତେବେ ଏହି ଆକ୍ରମଣରେ କେତେଜଣ ମୃତାହତ ହୋଇଛନ୍ତି, ସେ ନେଇ କୌଣସି ସୂଚନା ମିଳିନାହିଁ। ଗତକାଲି ପଞ୍ଜଶୀର ପାଇଁ ଚାଲିଥିବା ଲଢ଼େଇରେ ଆମେ ବିଜୟ ହାସଲ କରିଛୁ ବୋଲି ଦାବି କରିଥିଲା ତାଲିବାନ। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଥିଲେ ଯେ, ଆଫଗାନିସ୍ତାନରେ ତାଲିବାନର ଦଖଲ ବାହାରେ ଥିବା ଏକମାତ୍ର ପ୍ରଦେଶ ପଞ୍ଜଶୀର ଏବେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଚାଲି ଆସିଛି। ବିଦ୍ରୋହୀ ବାହିନୀର ଅନେକ ସଦସ୍ୟ ଆକ୍ରମଣର ଶିକାର ହୋଇଛନ୍ତି ଏବଂ ଆହୁରି ଅନେକ ଖସି ପଳାଇଛନ୍ତି। ତେବେ ବିଦ୍ରୋହୀ ବାହିନୀ ଏନ୍ଆରଏଫ୍ (ନ୍ୟାସନାଲ୍ ରେଜିଷ୍ଟାନ୍ସ ଫ୍ରଣ୍ଟ୍ ଅଫ୍ ଆଫଗାନିସ୍ତାନ) ତାଲିବାନର ଏହି ଦାବିକୁ ଖଣ୍ଡନ କରିଥିଲା। ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଥିଲେ, ତାଲିବାନର ଦାବି ସମ୍ପୂର୍ଣ୍ଣ ମିଥ୍ୟା। ତାଲିବାନ ଆମ ବିରୋଧରେ ଅପରେସନ୍ ପାଇଁ ପାକିସ୍ତାନ ହେଲିକପ୍ଟର ବ୍ୟବହାର କରିଛି। କିନ୍ତୁ ତାଲିବାନ ବିରୋଧରେ ଲଢ଼େଇ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।। ବିଦ୍ରୋହୀ ବାହିନୀ ଏନ୍ଆରଏଫ୍ ନେତା ଅହମଦ ମାସୁଦ କହିଥିଲେ ଯେ, ତାଲିବାନ ପାକିସ୍ତାନଠାରୁ ସହଯୋଗ ପାଉଛି। ପଞ୍ଜଶୀର ଉପରେ ଆକ୍ରମଣ ପାଇଁ ତାଲିବାନ ସକ୍ଷମ ନୁହେଁ। ଏଥିପାଇଁ ପାକିସ୍ତାନ ଡ୍ରୋନ୍ ଏବଂ ହେଲିକପ୍ଟର ଦ୍ବାରା ତାଲିବାନକୁ ସହଯୋଗ କରୁଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..