ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହୁ ଚର୍ଚ୍ଚିତ ପେଗାସସ୍ ମାମଲାର ଯାଞ୍ଚ ପାଇଁ ଗଠନ ହେବ ସ୍ୱତନ୍ତ୍ର କମିଟି । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି । ସରକାର କମିଟି ଗଠନ ବାବଦରେ ଘୋଷଣା ସହ କୌଣସି ଗୁଇନ୍ଦାଗିରି କିମ୍ବା ଫୋନ୍ ଟ୍ୟାପିଂ ହୋଇନଥିବା ନେଇ ପୁଣିଥରେ ଦୋହରାଇଛନ୍ତି । ଆହୁରି ମଧ୍ୟ ସରକାର କୋର୍ଟରେ ସ୍ପଷ୍ଟୀକରଣ ଦାଖଲ କରିଛନ୍ତି ଦାଖଲ । ସୋମବାର ସୁପ୍ରିମକୋର୍ଟରେ ପେଗାସସ ମାମଲାରେ ଶୁଣାଣି ହୋଇଥିଲା । କୋର୍ଟରେ ସରକାର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । କୌଣସି ଅବୈଧ ଗୁଇନ୍ଦାଗିରି କରାଯାଇନଥିବା ସରକାର ସ୍ପଷ୍ଟୀକରଣ ରଖିଥିଲେ ।ଏହାସହ ବରିଷ୍ଠ ସାମ୍ବାଦିକ ଏନ ରାମଙ୍କ ସମେତ ଅନ୍ୟମାନଙ୍କ ଦ୍ୱାରା ଦାଖଲ ଆବେଦନରେ ହୋଇଥିବା ଅଭିଯୋଗକୁ ସିଧାସଳଖ ଭାବେ ମନା କରିଥିଲେ । ସୂଚନାଯୋଗ୍ୟ, ପେଗାସସ ମାମଲା ଆସିବା ପରେ କେନ୍ଦ୍ର ସରକାରଙ୍କ ପାଇଁ ଅଡୁଆ ବଢିଥିଲା । ଅନେକ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ସରକାର ପେଗାସସ ସଫ୍ଟଓୟାରକୁ ବ୍ୟବହାର କରି ବେଆଇନ ଭାବେ ଗୁଇନ୍ଦାଗିରି କରୁଛନ୍ତି । ଯେଉଁମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି, ସେମାନଙ୍କ ମଧ୍ୟରେ ସାମ୍ବାଦିକ, ରାଜନେତା, ସାମାଜିକ କାର୍ଯ୍ୟକର୍ତ୍ତା ଓ ନ୍ୟାୟପାଳିକାରେ ଜଡିତ ଥିବା ଅନେକ ବ୍ୟକ୍ତି ରହିଥିଲେ । ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟରେ ଗତ ୧୦ ତାରିଖରେ ଏହି ମାମଲାରେ ଶୁଣାଣି ହୋଇଥିଲା । ସେତେବେଳେ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଯାଞ୍ଚ ନେଇ ଦାଖଲ କିଛି ଆବେଦନ ଉପରେ ଟିପ୍ପଣୀ ଦେଇ ଅନୁଶାସନ ଓ ନ୍ୟାୟପାଳିକା ଉପରେ ବିଶ୍ୱାସ ରଖିବା ଜରୁରୀ ବୋଲି କହିଥିଲେ ।
Discussion about this post