Report Card Odisha

| Daily Odia News

ପିପିଲି ଉପନିର୍ବାଚନ ବନ୍ଦ ନେଇ କଂଗ୍ରେସର ଦାବି, ବିଜେପି ଓ ବିଜେଡି ଅଗ୍ରାହ୍ୟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପିପିଲି ଉପନିର୍ବାଚନ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି | ସାରା ଦେଶରେ କରୋନା ସ୍ଥିତି ଯେପରି ଲାଗି ରହିଛି ତାହାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଗତ ୧୪ ତାରିଖ କରୋନାରେ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ମୃତ୍ୟୁ ଘଟିଥିଲା। ଏବେ ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେଉଛି। ଦୈନିକ ସଂକ୍ରମଣ ୬ ହଜାର ଉପରେ ରହୁଛି। ଏପରିକି ପୁରୀ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ଆଜି ୨୫୦ ଉପରେ ରହିଛି। ଏପରି ସ୍ଥିତିରେ ପିପିଲି ଉପନିର୍ବାଚନ ବନ୍ଦ ପାଇଁ ଦାବି କରିଛି କଂଗ୍ରେସ। କରୋନାର ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ପିପିଲି ଉପନିର୍ବାଚନ ବନ୍ଦ କରାଯାଉ ବୋଲି ପ୍ରେସମିଟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି। ପ୍ରଦୀପ କହିଛନ୍ତି, କରୋନା ସ୍ଥିତିରେ ଉପନିର୍ବାଚନ କୌଣସି ଗୁରୁତ୍ୱ ରଖୁନାହିଁ। କରୋନା ଭୟାବହତା ନିକଟରେ ଲୋକଙ୍କ ଜୀବନ ଆଗ, ନିର୍ବାଚନ ପଛ। ନିର୍ବାଚନ ବନ୍ଦ ରଖିବାକୁ ବିଜେଡି, ବିଜେପି ମଧ୍ୟ ସହଯୋଗ କରନ୍ତୁ। ଏ ନେଇ ଆଜି ଅପରାହ୍ନରେ ଦଳ ନିର୍ବାଚନ ଅଧତ୍କାରୀଙ୍କୁ ଭେଟିବେ ବୋଲି ପ୍ରଦୀପ କହିଛନ୍ତି। କଂଗ୍ରେସ ଦାବି ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସେ କହିଛନ୍ତି, ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଯାହା କହୁଛି, ତାଙ୍କ ନେତା ସୁରେଶ ରାଉତରାୟ ଅନ୍ୟ କଥା କହୁଛନ୍ତି। ପ୍ରଥମେ ସେମାନେ ନିଷ୍ପତ୍ତି କରନ୍ତୁ କଣ କରିବେ। ତାପରେ ନିର୍ବାଚନ କମିସନଙ୍କୁ ଭେଟି ଦାବି ରଖନ୍ତୁ। ନିର୍ବାଚନ କମିସନ ଯେଉଁ ପ୍ରୋଟୋକଲ କରିଛନ୍ତି, ସେହି ଅନୁସାରେ ନିର୍ବାଚନ ହେଉଛି । ମୁଖ୍ୟମନ୍ତ୍ରୀ କହି ସାରିଛନ୍ତ ପ୍ରାର୍ଥୀଙ୍କ ସମେତ ପାଞ୍ଚ ଜଣ ବୁଲି ବୁଲି ପ୍ରଚାର କରୁଛନ୍ତି। କୌଣସି ସଭା ଶୋଭାଯାତ୍ରା ନକରିବାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ପିପିଲି ଉପନିର୍ବାଚନ ବନ୍ଦ ପାଇଁ କଂଗ୍ରେସର ଦାବିକୁ ଅଗ୍ରାହ୍ୟ କରିଛି ବିଜେପି। ପିପିଲି ଉପ ନିର୍ବାଚନ ହେଉ ବୋଲି ଦାବି କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, କୋଭିଡ୍ ଗାଇଡ ଲାଇନ ଅନୁସାରେ ଉପନିର୍ବାଚନ ହେବା ଉଚିତ୍‌। ଉପିନିର୍ବାଚନ ବନ୍ଦ ପାଇଁ କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି ତାହାର ବାସ୍ତବତା ନାହିଁ। ଏହା କେବଳ ପଲିଟିକାଲ ଗିମିକ୍। ପୃଥ୍ୱୀରାଜ କହିଛନ୍ତି, ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି। ଏ ନେଇ ନୋଟିଫିକେସନ ହୋଇସାରିଛି। ତେଣୁ ନିର୍ବାଚନ ବନ୍ଦ ନହୋଇ କରାଯିବ ଉଚିତ ବୋଲି ବିଜେପି କହିଛି ।

Breaking News