ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାନୁଆରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ଜରିଆରେ ତାମିଲନାଡ଼ୁରେ ୧୧ଟି ନୂଆ ଚିକିତ୍ସା ମହାବିଦ୍ୟାଳୟ ଓ ଚେନ୍ନାଇରେ ଥିବା କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ଉଦଘାଟନ କରିବେ। ମୋଟ୍ ୪ ହଜାର କୋଟି ବ୍ୟୟରେ ମେଡିକାଲ କଲେଜ୍ର ନିର୍ମାଣ ହୋଇଛି। ନୂତନ ଭାବେ ତିଆରି ହୋଇଥିବା ଚିକିତ୍ସା ମହାବିଦ୍ୟାଳୟ ପାଇଁ କେନ୍ଦ୍ର ସରକାର ୨,୧୪୫ କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ୧,୮୫୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ବିରୁଧନଗର, ନମାକ୍କାଲ, ନିଳଗିରି, ତିରୁପ୍ପୁର, ଥିରୁବଲ୍ଲୁର, ନାଗପଟ୍ଟିନମ, ଦିଣ୍ଡିଗୁଲ, କଲ୍ଲାକୁରିଚି, ଆରିଆଲୁର, ରାମନାଥପୁରମ ଓ କ୍ରିଷ୍ଣାଗିରି ଜିଲ୍ଲା ଗୁଡ଼ିକରେ ନୂଆ ମେଡିକାଲ କଲେଜ୍ ଗୁଡ଼ିକ ପ୍ରତିଷ୍ଠା ହୋଇଛି। ଯାହା ଫଳରେ ଦେଶର ସବୁ ପ୍ରାନ୍ତରେ ଅତି କମ ମୂଲ୍ୟରେ ଚିକିତ୍ସା ସେବା ଯୋଗାଇବାରେ ପ୍ରୋତ୍ସାହନ ମିଳିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଦିଗରେ ବେଶ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧,୪୫୦ ରୋଗୀ ଶଜ୍ୟା ବିଶିଷ୍ଟ ମେଡିକାଲ କଲେଜ୍ ପୂର୍ବରୁ ରହିଥିବା ଜିଲ୍ଲା ଚିକିତ୍ସାଳୟ ବା ରେଫେରାଲ ଚିକିତ୍ସାଳୟ ଅଧୀନରେ ତିଆରି ହୋଇଛି। ଯେଉଁ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସରକାରୀ ବା ଘରୋଇ ଚିକିତ୍ସା ମହାବିଦ୍ୟାଳୟ ନଥିଲା ସେଠାରେ କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ଏହି ମେଡିକାଲ କଲେଜ୍ ପ୍ରତିଷ୍ଠା କରାଯାଇଛି ବୋଲି ବିବୃତିରେ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁସାରେ ଭାରତୀୟ ଐତିହର ସୁରକ୍ଷା, ସଂରକ୍ଷଣ କରିବା ଓ ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ପ୍ରତିଷ୍ଠା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ଏହି ନୂଆ ତାମିଲ ସଂସ୍ଥାନଟି ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୪ କୋଟି ଟଙ୍କା ଅନୁଦାନରେ ତିଆରି ହୋଇଛି।
Discussion about this post