ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘରେ ଜାତୀୟ ପତାକା ଉଡ଼ାଇ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ବ୍ୟାପକ କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହାଦ୍ବାରା ଜାତୀୟ ପତାକା ସହିତ ଆରମ ନିବିଡ଼ତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ଅବସରରେ ପାଳନ କରାଯାଉଥିବା ‘ସ୍ବାଧୀନତାର ଅମୃତ ମହୋତ୍ସବ‘ ସହ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନକୁ ସମକକ୍ଷ କରିବା ଲାଗି ସରକାର କଳ୍ପନା କରିଥିଲେ। ଏ ସଂକ୍ରାନ୍ତରେ କେତେଗୁଡ଼ିଏ ଟୁଇଟ୍ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ବାରା ତ୍ରିରଙ୍ଗ ପତାକା ସହିତ ଆମର ଘନିଷ୍ଠତା ନିବିଡ଼ ହେବ। ୧୯୪୭ ଜୁଲାଇ ୨୨ ତାରିଖରେ ଆମେ ଏହି ତ୍ରିରଙ୍ଗ ପତାକାକୁ ଗୃହୀତ କରିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଟୁଇଟର୍ ପୋଷ୍ଟ୍ରେ ସେ ଲେଖିଛନ୍ତି: ଆମେ ଔପନିବେଶୀୟ ଶାସନ ବିରୋଧରେ ସଂଗ୍ରାମ ଚଳାଉଥିବା ବେଳେ ସ୍ବାଧୀନ ଭାରତ ନିମନ୍ତେ ଗୋଟାଏ ପତାକା ପରିକଳ୍ପନା କରିଥିବା ବ୍ୟକ୍ତିମାନଙ୍କର ଦୁର୍ବାର ସାହସ ଏବଂ ଉଦ୍ୟମ କଥା ଆଜି ଆମେ ସ୍ମରଣ କରିବା। ସେମାନଙ୍କ ଅଭିଳାଷ ପୂରଣ କରିବା ସହ ସେମାନଙ୍କ ପରିକଳ୍ପିତ ଭାରତ ନିର୍ମାଣ ନିମନ୍ତେ ଆମର ପ୍ରତିବଦ୍ଧତାକୁ ଦୋହରାଇବା। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଚଳିତ ବର୍ଷ ଆମେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନକୁ ମଧ୍ୟ ବ୍ୟାପକ କରିବା। ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଆପଣମାନଙ୍କ ଘରେ ତ୍ରିରଙ୍ଗ ପତାକା ଉତ୍ତୋଳନ କିଂବା ପ୍ରଦର୍ଶନ କରନ୍ତୁ। ଏହି ଅଭିଯାନ ଜାତୀୟ ପତାକା ସହିତ ଥିବା ଆମର ଘନିଷ୍ଠତାକୁ ନିବିଡ଼ କରିବ। ଏଥିସହ, ଜାତୀୟ ପତାକାକୁ ଗୃହୀତ କରାଯିବା ସଂକ୍ରାନ୍ତ ଔପଚାରିକ କାଗଜପତ୍ର ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର୍ଲାଲ୍ ନେହେରୁ ଉତ୍ତୋଳନ କରିଥିବା ପ୍ରଥମ ତ୍ରିରଙ୍ଗ ପତାକାର ଫଟୋ ମଧ୍ୟ ସେ ପୋଷ୍ଟ୍ କରିଛନ୍ତି।






More Stories
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..
ଖାଲି ଗୃହିଣୀ ନୁହେଁ ସେମାନେ ରାଷ୍ଟ୍ର ନିର୍ମାତା…..