ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ ନେଇ। ଏହି ନୀତିକୁ ଅନୁସରଣ କଲେ ଜଣେ ସଫଳ ପ୍ରେମୀ ହୋଇପାରିବ ଏଥିରେ ସନ୍ଦେହ ନାହିଁ।
-ଚାଣକ୍ୟ ନୀତି ଅନୁଯାୟୀ, ଯେଉଁ ବ୍ୟକ୍ତି ନିଜ ପ୍ରେମିକା ନଚେତ ସ୍ତ୍ରୀଙ୍କୁ ସମ୍ମାନପୂର୍ଣ୍ଣ ଚକ୍ଷୁରେ ଦେଖିଥାଏ, ସର୍ବଦା ତାଙ୍କୁ ସମ୍ମାନ କରିଥାଏ, ତାଙ୍କ ସମ୍ପର୍କ କେବେ ବି ଭାଙ୍ଗି ନ ଥାଏ। ଏଭଳି ବ୍ୟକ୍ତିକୁ ସବୁ ସ୍ଥାନରେ ସମ୍ମାନ ମଧ୍ୟ ମିଳିଥାଏ।
-ସେହିଭଳି ଯେଉଁ ବ୍ୟକ୍ତି ଆନ୍ତରିକତାର ସହ ପ୍ରେମ କରନ୍ତି ତାଙ୍କର ସମ୍ପର୍କ କେବେ ବି ତୁଟି ନ ଥାଏ। ଅର୍ଥାତ ଯେଉଁ ବ୍ୟକ୍ତି ନିଜ ପ୍ରେମିକା ଛଡ଼ା ଅନ୍ୟ ମହିଳାଙ୍କ ବିଷୟରେ ଭାବି ନ ଥାଏ, ସେ ସମ୍ପର୍କକୁ ମଜଭୂତ ରଖିବାରେ ସଫଳ ହୁଏ। ଅପରପକ୍ଷେ ଯିଏ ନିଜ ପ୍ରେମିକା କିମ୍ବା ସ୍ତ୍ରୀଙ୍କ ବ୍ୟତିତ ଅନ୍ୟ ମହିଳାଙ୍କ ବିଷୟରେ ଖରାପ ଭାବନା ମନକୁ ଆଣିଥାଏ, ତେବେ ତାଙ୍କ ପ୍ରେମ ସଫଳ ହୋଇପାରି ନ ଥାଏ। ସାରା ଜୀବନ ପ୍ରେମକୁ ବଞ୍ଚାଇ ରଖିଲେ ସମ୍ପର୍କ ଭଲରେ ଚାଲିଥାଏ ବୋଲି ଚାଣକ୍ୟ କହିଛନ୍ତି।
-ଏହାଛଡ଼ା ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ପାଖରେ ମହିଳାଟିଏ ସୁରକ୍ଷିତ ମନେ କରେ, ତାଙ୍କର ପ୍ରେମ ଜୀବନ ବେଶ ଭଲରେ ଚାଲିଥାଏ। ଜଣେ ମହିଳା ସର୍ବଦା ନିଜ ଜୀବନସାଥୀଙ୍କ ମଧ୍ୟରେ ନିଜ ବାପାଙ୍କ ପ୍ରତିଛବିଙ୍କୁ ଖୋଜିଥାନ୍ତି। ଏପରିସ୍ଥଳେ ସେହିଭଳି ସୁରକ୍ଷିତ ବ୍ୟବହାର ଦ୍ୱାରା ସାଥୀଙ୍କ ହୃଦୟ ଜିତିପାରିବେ। କାରଣ ତାଙ୍କ ପାଖରେ ରହିବା ସମୟରେ ସାଥୀ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଉକ୍ତ ବ୍ୟକ୍ତି ପ୍ରେମରେ ବିଫଳ ହୁଅନ୍ତି ନାହିଁ।
-ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ନିଜ ଜୀବନରେ ଶାରୀରିକ ଏବହ ଭାବନାତ୍ମକ ସୁଖ ସହ ସାଥୀଙ୍କୁ ଶାରୀରିକ ସୁଖ ପ୍ରଦାନ କରିବାରେ ସଫଳ ହୁଅନ୍ତି, ତାଙ୍କ ଦାମ୍ପତ୍ୟ ଜୀବନରେ କୌଣସି ପ୍ରତିବନ୍ଧକ ଆସି ନ ଥାଏ।
Discussion about this post