Report Card Odisha

| Daily Odia News

ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ପରିଚିତ ହେବ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ

ମୋଟେରା: ବଦଳିଲା ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ନାଁ ।ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ ନାଁରେ ପରିଚିତ ଥିବା  ଗୁଜରାଟ ଅହମ୍ମଦାବାଦର ଏହି ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମ ଏବେ ନରେନ୍ଦ୍ର ମୋଦିଙ୍କ ନାମରେ ପରିଚିତ ହେବ। ଆଜି ଭାରତ-ଇଂଲଣ୍ଡ ପିଙ୍କ ବଲ୍‌ ଟେଷ୍ଟ ପୂର୍ବରୁ ଏପରି ନାମ ପରିବର୍ତ୍ତନ କରାଯାଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ  ନୁହେଁ ଏବେ ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମର ପରିଚୟ ପାଇବ। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଷ୍ଟାଡିୟମର  ଉଦ୍‌ଘାଟନ କରିଛନ୍ତି।

ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ, କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଏବଂ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ନିତୀନ ପଟେଲ ମହଜୁଦ୍‌ ଥିଲେ। ତେବେ ଅସୁସ୍ଥତା କାରଣରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିଲେ। ଅହମ୍ମଦାବାଦ୍‌ରେ ଥିବା ଏହି ଷ୍ଟାଡିୟମରେ ୧, ୩୨, ୦୦୦ ଲୋକ ବସିବା ପରି ବ୍ୟବସ୍ଥା ରହିଛି। ଏହି ଷ୍ଟାଡିୟମର ରକ୍ଷଣାବେକ୍ଷଣର ସମସ୍ୟା ଯେପରି ନ ହେବ ସେଥିପାଇଁ ରେଭିନ୍ୟୁ ମଡେଲ ମଧ୍ୟ ସେହି ଅନୁସାରେ କରାଯାଇଛି। ଅହମ୍ମଦାବାଦ ସହରକୁ ସ୍ପୋର୍ଟ୍ସ ସିଟି ଭାବେ ପରିଚିତ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

ସର୍ଦ୍ଦାର ପଟେଲଙ୍କ ନାମରେ ନାମିତ ଏହି ଷ୍ଟାଡିୟମ ସାବରମତୀ ନଦୀ କୂଳରେ  ଅବସ୍ଥିତ। ଏହି ଷ୍ଟାଡିୟମକୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ବା ଏମସିଜି ଢାଞ୍ଚାରେ ତିଆରି କରାଯାଇଛି। ତେବେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ସ୍ତମ୍ଭର ବ୍ୟବହାର କରାଯାଇଥିବାବେଳେ ଏଠାରେ କୌଣସି ସ୍ତମ୍ଭର ବ୍ୟବହାର କରାଯାଇ ନାହିଁ।  ଅଲମ୍ପିକ ଫୁଟବଲ ପଡ଼ିଆଠାରୁ ୩୨ ଗୁଣ ବଡ଼ ଏହି ଷ୍ଟାଡିୟମର ଡିଜାଇନ କରିଥିଲେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ସ୍ଥପତି ପୋପୁଲସ୍‌।

ସଂଯୋଗର କଥା ହେଉଛି, ନରେନ୍ଦ୍ର ମୋଦି ଆସୋସିଏସନର ସଭାପତି ଥିବାବେଳେ ଏପରି ଷ୍ଟାଡିୟମର ପରିକଳ୍ପନା କରିଥିଲେ। ୬୩ ଏକର ଜମିରେ ନିର୍ମିତ ଏହି ଷ୍ଟାଡିୟମରେ ରହିଛି ୪ଟି ଡ୍ରେସିଂ ରୁମ୍‌, ଗୋଟିଏ ସୁଇମିଂ ପୁଲ୍‌, ୭୬ କର୍ପୋରେଟ ବକ୍ସ। ପ୍ରତି କର୍ପୋରେଟ  ବକ୍ସରେ ୨୫ ଜଣ ବସି ମ୍ୟାଚ ଦେଖି ପାରିବେ। ଏହାଛଡ଼ା ଗୋଟିଏ ଇନ୍‌ଡୋର କ୍ରିକେଟ ଏକାଡେମୀ, ବ୍ୟାଡମିଣ୍ଟନ, ଟେନିସ କୋଟ, ଟେବୁଲ୍‌ ଟେନିସ୍‌, ତିନୋଟି ଅଭ୍ୟାସ ପଡ଼ିଆ ଓ ୫୦ଟି ରୁମ୍‌ ଅଛି। ଏହାର ଡ୍ରେନେଜ ବ୍ୟବସ୍ଥା ଅତି ଭଲ। ମାତ୍ର ୩୦ ମିନିଟ ଭିତରେ ଏଠାରୁ ବର୍ଷା ଜଳ ନିଷ୍କାସନ ହୋଇ ପାରିବ।

ପଡ଼ିଆରେ କଳା ଓ ନାଲି ମାଟିରେ ୧୧ଟି ପିଚ୍‌ ତିଆରି କରାଯାଇଛି ଏବଂ ସେହି ପିଚ୍‌ରେ ମ୍ୟାଚ ଖେଳାଯିବ। ୭୬ କର୍ପୋରେଟ ବକ୍ସକୁ ୨୫ ବର୍ଷ ପାଇଁ ୨.୫ କୋଟି ଟଙ୍କା ଦରରେ ଲିଜ୍ ଦିଆଯାଇଛି।

Breaking News