Report Card Odisha

| Daily Odia News

ଅହମ୍ମଦାବାଦରେ ଭାରତୀୟ ସ୍ପିନରଙ୍କ ରାଜୁତି: ୧୦ ୱିକେଟ୍‌ରେ ଭାରତ ବିଜୟୀ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ କରିଛି। ଅହମ୍ମଦାବାଦ ଟେଷ୍ଟରେ ଭାରତ ବିଜୟ ହାସଲ କରିଛି। ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ବ୍ୟାକଫୁଟକୁ ଭାରତ ଠେଲି ଦେଇଛି। ଏଠାରେ ଖେଳାଯାଇଥିବା ତୃତୀୟ ଦିବାରାଷ୍ଟ୍ର ଟେଷ୍ଟରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇ ଦେଇଛି।

ଦ୍ୱିତୀୟ ଇନିଂସରେ ଇଂଲିଶ ବ୍ୟାଟ୍ସମ୍ୟାନମାନେ ପୁଣିଥରେ ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରି ମାତ୍ର ୮୧ ରନରେ ଅଲଆଉଟ୍ ହୋଇଥିଲା। ଏଥିସହ ଭାରତ ଆଗରେ ମାତ୍ର ୪୯ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ଛୋଟିଆ ଟାର୍ଗେଟକୁ ଭାରତ ମାତ୍ର ୭.୪ ଓଭରରେ ବିନା ୱିକେଟ୍‌ ହରାଇ ହାସଲ କରିନେଇଛି। ରୋହିତ୍ ୨୫ ବଲରେ ୩ ଚୌକା ଓ ୧ ଛକା ସହ ୨୫ ଏବଂ ଗିଲ୍ ୨୧ ବଲରେ ୧ ଚୌକା ଓ ୧ ଛକା ସହ ୧୫ ରନ୍ କରି ଅପରାଜିତ ଥିଲେ। ଅହମ୍ମଦାବାଦରେ ରାଜୁତି କରିଥିଲେ ଭାରତୀୟ ସ୍ପିନର। ଅକ୍ଷରଙ୍କୁ ୫, ଅଶ୍ୱିନଙ୍କୁ ୪, ୱାଶିଂଟନଙ୍କୁ ୧ ୱିକେଟ ମିଳିଛି।

ପୂର୍ବରୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଘାତକ ସ୍ପିନ୍ ବଳରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଟିମକୁ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନରେ ଅଲଆଉଟ୍ କରିଥିଲା। ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ଏହି କଠିନ ପିଚରେ ତିଷ୍ଠିପାରିନଥିଲେ। ଦଳ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୨୫ ରନ୍ କରିଥିବା ବେଳେ କ୍ୟାପଟେନ୍ ଜୋ ରୁଟ୍ ୧୯, ଓଲି ପୋପ୍ ୧୨ ରନ୍ କରିଥିଲେ। ତେବେ ଡମ୍ ସିବଲେ (୭), ଜ୍ୟାକ୍ କ୍ରଲୀ (୦), ଜନ୍ନି ବେୟାରଷ୍ଟୋ (୦), ବେନ୍ ଫୋକ୍ସ (୮), ଜୋଫ୍ରା ଆର୍ଚର୍ (୦), ଜ୍ୟାକ୍ ଲିଚ୍ (୯) ଓ ଜେମ୍ସ ଆଣ୍ଡରସନ୍ (୦) ଦୁଇ ଅଙ୍କ ଛୁଇଁପାରିନଥିଲେ। ଷ୍ଟୁଆର୍ଟ ବ୍ରଡ୍ ୧ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ପୁଣିଥରେ କମାଲ୍‌ କରିଛନ୍ତି। ସେ ୩୨ ରନ୍ ଦେଇ ୫ଟି ଓ ଅଶ୍ୱିନ୍ ୪୮ ରନ୍ ଦେଇ ୪ଟି ସଫଳତା ପାଇଛନ୍ତି। ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍‌ ନେଇଛନ୍ତି।

Breaking News