ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେଳବାଇ ବଡ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛି| ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରିବ। ଜାଲ ଆଇଡି ସମସ୍ୟା ରୋକ ଲଗାଇବା ପାଇଁ ବ୍ୟବସ୍ଥାରେ ଜରୁରୀ ପରିବର୍ତ୍ତନ କରାଯିବ। ଏହା ଦ୍ବାରା ରେଳ ଟିକଟ ସଂରକ୍ଷଣ ଅନୁଭୂତିରେ ଉନ୍ନତି ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନର ଟିକଟ ସଂରକ୍ଷଣ ବ୍ୟବସ୍ଥାର ଅନୁଧ୍ୟାନ କରିବା ଲାଗି ଆଇସିଆର୍ସିଟିସି ପକ୍ଷରୁ ଗ୍ରାଣ୍ଟ୍ ଥର୍ଟନ ନାମକ ସଂସ୍ଥା ସହ ଆଲୋଚନା ହୋଇଛି। ଏହି ସଂସ୍ଥା ରିପୋର୍ଟ ଦେବା ପରେ ଟିକଟ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ବହୁ ଟିକଟ ରାଜନେତା, ପ୍ରଶାସକ ଓ ଅନ୍ୟାନ୍ୟ ସ୍ବତନ୍ତ୍ର ବର୍ଗର ଲୋକମାନଙ୍କ ଲାଗି ଅଲଗା ରଖାଯାଉଥିବାରୁ ସାଧାରଣ ଲୋକମାନେ ଶେଷ ମୁହୂର୍ତରେ ଯାତ୍ରା ଲାଗି ଟିକଟ କାଟିବାକୁ ଉଦ୍ୟମ କରିବା ବେଳେ ଅଧିକାଂଶ ସମୟରେ ନିରାଶ ହେଉଛନ୍ତି। ଇ-ଟିକଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ସେଥିରେ ପରିବର୍ତ୍ତନ ହୋଇଛି। ଆଇଆର୍ସିଟିସିରେ ୧୦ କୋଟିରୁ ଅଧିକ ପଞ୍ଜୀକୃତ ବ୍ୟବହାରକାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭.୬ କୋଟି ବ୍ୟବହାରକାରୀ ସକ୍ରିୟ ରହୁଛନ୍ତି। ଆଗାମୀ ଦିନରେ ଟିକଟ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ବେଳେ ଦୁଇଟି ବିଷୟକୁ ଧ୍ୟାନ ଦିଆଯିବ। ପ୍ରଥମ ବିଷୟଟି ହେଉଛି କିଭଳି ନିରବଚ୍ଛିନ୍ନ ଭାବେ ବଡ଼ ଧରଣ ଟିକଟ ବୁକିଂ ହୋଇପାରିବ। ଦ୍ବିତୀୟ ତଥା ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କିଭଳି ଜାଲ ଆଇଡିଗୁଡ଼ିକୁ ବ୍ୟବସ୍ଥାରୁ ବାହାର କରାଯିବ। ଏକ ସଙ୍ଗେ ଅଧିକ ଟିକଟ ସଂରକ୍ଷଣ ସୁବିଧା ଦେବା ଲାଗି ଭିତ୍ତିଭୂମି ଓ ମୂଳ ଆପ୍ଲିକେସନ୍କୁ ଦୃଢ଼ କରିବାକୁ ପଡ଼ିବ।






More Stories
ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..
ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ……
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..