ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ହଟ୍ଟଗୋଳ ସାଙ୍ଗକୁ ଗୃହରେ ବିଶୃଙ୍ଖଳା ଦେଖା ଦେଇଥିଲା | ଏହାକୁ ନେଇ ଶାସକ ଦଳର ୭ କେନ୍ଦ୍ରମନ୍ତ୍ରୀ ବିରୋଧୀଙ୍କ ଉପରେ ବର୍ଷିଛନ୍ତି | ବୁଧବାର ସଂସଦ ମଧ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ହାତାହାତି ଘଟଣାରେ ମୁହାଁମୁହିଁ ହୋଇଥିଲେ ଶାସକ ଏବଂ ବିରୋଧୀ । ଅଭିଯୋଗର ଲମ୍ବା ଲିଷ୍ଟ ପରେ ଏବେ ଶାସକ ଦଳର ୭ ଜଣ କେନ୍ଦ୍ରମନ୍ତ୍ରୀ ପ୍ରେସମିଟ୍ କରି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଦେଶର ଜନତା ଅପେକ୍ଷା କରିଥିଲେ କି ସେମାନଙ୍କ ସହ ଜଡିତ ବିଷୟ ଗୃହରେ ଉପସ୍ଥାପିତ ହେଉ । କିନ୍ତୁ ମୌସୁମୀ ଅଧିବେଶନ ଚାଲିଥିବା ବେଳେ, ସଡକରୁ ନେଇ ସଂସଦ ପର୍ଯ୍ୟନ୍ତ ଅରାଜକତା ଦେଖାଦେଇଥିଲା । ଏଥିପାଇଁ ବିରୋଧୀ ଏବଂ ବିଶେଷ କରି ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, କଂଗ୍ରେସ ଦଳ ଏବଂ ତାହାର ସହଯୋଗୀ ଦଳଗୁଡିକ ଆରମ୍ଭରୁ ହିଁ ଗୃହ କାର୍ଯ୍ୟ ନଚଳାଇ ଦେବାକୁ ନିଷ୍ପତ୍ତି ନେଇଥିଲେ । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ନୂଆ ମନ୍ତ୍ରୀ ମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ କରାଇଦେଇନଥିଲେ । ଗୁରୁତ୍ବପୂର୍ଣ୍ଣ ବିଲ୍ ଗୁଡିକ ଉପରେ ମଧ୍ୟ ଆଲୋଚନା କରିବାକୁ ଦେଇନଥିଲେ । ସଂସଦର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେପଟେ ସରକାରୀ କଳ କ୍ଷମତାର ଦୂରୁପଯୋଗ କରୁଥିବା ନେଇ ଅଭିଯୋଗ କରିଛନ୍ତି କଂଗ୍ରେସ ସାଂସଦ । ବିପକ୍ଷ ସାଂସଦଙ୍କ ଅଭିଯୋଗ ଯେ, ଗୃହ ମଧ୍ୟକୁ ବାହାରୁ ମାର୍ସଲ ଆର୍ଟିଷ୍ଟଙ୍କୁ ଡକାଇ ବିରୋଧୀ ସାଂସଦମାନଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି । ଏହାରି ମଧ୍ୟରେ ରାଜ୍ୟସଭାରେ ସେହି ସମୟର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ଯେଉଁଥି ପାଇଁ ଗୃହମଧ୍ୟରେ ହଙ୍ଗାମା ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବିରୋଧୀ ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ବିରୋଧ ପ୍ରଦର୍ଶନ କରୁଛନ୍ତି । ଏତିକି ବେଳେ ସଂସଦ ମଧ୍ୟକୁ କିଛି ମାର୍ସଲ ଆର୍ଟିଷ୍ଟ ପସିଆସିବା ସହିତ ସାସଂଦମାନଙ୍କୁ ରୋକିବାକୁ ପ୍ରୟାସ କରିଥିଲେ । ବିରୋଧୀ ସାଂସଦ ଏବଂ ମାର୍ସଲ ଆର୍ଟିଷ୍ଟଙ୍କ ମଧ୍ୟରେ ଠେଲାପେଲା ହେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସଂସଦ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ।
Discussion about this post