ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖାଯିବା ଘଟଣାରେ ଗିରଫ ମହାରାଷ୍ଟ୍ର ପୋଲିସର ନିଲମ୍ବିତ ଅଧିକାରୀ ସଚିନ ବାଜେଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ଏଜେନ୍ସି କଠୋର ଆଇନ ଲାଗୁ କରିଛି। ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ) ଅନୁଯାୟୀ ସଚିନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ୟୁଏପିଏ ଆଇନ ଅନୁଯାୟୀ କେନ୍ଦ୍ର ସରକାର ଜଣେ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବାର କ୍ଷମତା ରହିଛି। ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଗାଡି ରଖାଯିବା ଘଟଣାରେ ଗିରଫ ସଚିନ ଏବେ ଏନଆଇଏ ହେପାଜତରେ ଅଛନ୍ତି। ଅନ୍ୟପଟେ ବିସ୍ଫୋରକ ଭର୍ତ୍ତି ଗାଡିର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ସଚିନଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି। ହିରେନଙ୍କ ମୃତ୍ୟୁ ଘଟଣା ପାଇଁ ସଚିନଙ୍କ ସମ୍ପୃକ୍ତି ଘଟଣାର ମହାରାଷ୍ଟ୍ର ଏଟିଏସ୍ ତଦନ୍ତ କରୁଛି। ତଦନ୍ତ ଆଧାରରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧ ସ୍କ୍ବାଡ (ଏଟିଏସ୍) ମୁଖ୍ୟ ଜୟଜିତ ସିଂହ କହିଛନ୍ତି ଯେ ମନସୁଖଙ୍କ ମୃତ୍ୟୁ ପଛରେ ସଚିନଙ୍କ ସମ୍ପୃକ୍ତି ରହିଛି। ଏ ସମ୍ପର୍କରେ ଜେରା କରିବା ଲାଗି ସଚିନଙ୍କୁ ଏଟିଏସ୍ ହେପାଜତକୁ ଅଣାଯିବ ବୋଲି ଜୟଜିତ କହିଛନ୍ତି। ଏଥିପାଇଁ ମାର୍ଚ୍ଚ ୨୫ରେ କୋର୍ଟରେ ଆବେଦନ କରାଯିବ।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..