Report Card Odisha

| Daily Odia News

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ମୁଦ୍ରାସ୍ଫୀତି ଏବଂ ସାଧାରଣ ଜନତାଙ୍କ ଆର୍ଥିକ ବୋଝକୁ ହ୍ରାସ କରିବା ପାଇଁ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ଦାବି ଜୋର୍ ଧରିଛି। ଏହି କ୍ରମରେ ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ପତ୍ର ଲେଖି ଆଗାମୀ ଜିଏସ୍‌ଟି କାଉନସିଲ ବୈଠକରେ ଏହାକୁ ଏକ ଆନୁଷ୍ଠାନିକ ଏଜେଣ୍ଡା ଭାବେ ସାମିଲ କରିବାକୁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟ ସହ ଆଲୋଚନା କରି ଏକ ସନ୍ତୁଳିତ ରୋଡ଼୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହି ପତ୍ରର ଏକ ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ମଧ୍ୟ ପଠାଯାଇଛି।ସାଂସଦ ଡ. ପାତ୍ର ନିଜ ଚିଠିରେ ଦର୍ଶାଇଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ପେଟ୍ରୋଲ ଉପରେ ୨୮% ଏବଂ ଡିଜେଲ ଉପରେ ୨୪% ଭାଟ୍‌ ଲାଗୁ ହେଉଛି। ଯଦି ଏହାକୁ ସର୍ବୋଚ୍ଚ ୨୮% ଜିଏସ୍‌ଟି ସ୍ଲାବ୍‌ରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ଗ୍ରାହକ ବଡ଼ ଆଶ୍ବସ୍ତି ପାଇବେ। ସାଂସଦ ଡ. ପାତ୍ର ତୁଳନାତ୍ମକ ଚିତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ପେଟ୍ରୋଲର ବର୍ତ୍ତମାନର ଦର ପ୍ରାୟ ୧୦୧.୧୨ ଟଙ୍କା ଥିବାବେଳେ ଜିଏସ୍‌ଟି ଅଧୀନରେ ଏହା ପ୍ରାୟ ୭୫.୫୨ ଟଙ୍କାକୁ ହ୍ରାସ ପାଇବ। ଫଳରେ ଗ୍ରାହକ ଲିଟର ପିଛା ପ୍ରାୟ ୨୫.୬୦ ଟଙ୍କା ସଞ୍ଚୟ କରିପାରିବେ। ସେହିପରି ଡିଜେଲର ବର୍ତ୍ତମାନ ଦର ପ୍ରାୟ ୯୨.୦୪ ଟଙ୍କା ଥିବାବେଳେ ଜିଏସ୍‌ଟି ଅଧୀନରେ ଏହା ପ୍ରାୟ ୭୮.୦୮ ଟଙ୍କାକୁ ଖସି ଆସିବ। ଫଳରେ ଲିଟର ପିଛା ପ୍ରାୟ ୧୩.୯୬ ଟଙ୍କା ସଞ୍ଚୟ ହେବ। ସେହିପରି ଡିଜେଲ ଦର କମିଲେ ଚାଷୀ ଲାଭବାନ୍‌ ହେବେ। ଏଥିସହ ଖଣି ଓ ଶିଳ୍ପ ସମୃଦ୍ଧ ଓଡ଼ିଶାରେ ପରିବହନ ଖର୍ଚ୍ଚ କମିବା ଦ୍ୱାରା ସାମଗ୍ରୀର ଦରଦାମ ହ୍ରାସ ପାଇବ। ପେଟ୍ରୋଲିୟମ ଜାତ ଦ୍ରବ୍ୟରୁ ଓଡ଼ିଶା ସରକାର ବାର୍ଷିକ ପ୍ରାୟ ୯,୭୦୦ କୋଟି ଟଙ୍କାର ଭାଟ୍‌ ପାଉଛନ୍ତି। ଜିଏସଟି ଲାଗୁ ହେଲେ ରାଜ୍ୟର ଏହି ରାଜସ୍ବ ପ୍ରାୟ ୪,୮୦୦ – ୫,୨୦୦ କୋଟି ଟଙ୍କାକୁ ଖସି ଆସିବ, ଅର୍ଥାତ ପ୍ରାୟ ୪, ୫୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିପାରେ। ଏଥିପାଇଁ ପର୍ଯ୍ୟାୟକ୍ରମେ ପେଟ୍ରୋଲ-ଡିଜେଲକୁ ଜିଏସ୍‌ଟିରେ ସାମିଲ, ଏକ ସନ୍ତୁଳିତ ଜିଏସ୍‌ଟି ହାର, ରାଜ୍ୟଗୁଡ଼ିକୁ କ୍ଷତିପୂରଣ ପ୍ରଦାନ, ସୀମିତ ସମୟ ପାଇଁ ସେସ୍‌ ବ୍ୟବସ୍ଥା ଲାଗୁ କରିବାକୁ ସାଂସଦ ଡ. ପାତ୍ର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

Breaking News