Report Card Odisha

| Daily Odia News

ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ !…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଲୋଚନା ଏବଂ ସମାଲୋଚନା କେବେକେବେ ଖବର ଶିରୋନାମା ପାଲଟିଥାଏ | କେବେ ତେର୍ଚ୍ଛା ବାଣ ମାରନ୍ତି ତ ଆଉ କେବେ ସିଧା | ଏଥର ସିଧା ବାଣ ମାରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ | ପାରାଦୀପରେ ଆୟୋଜିତ ବିଜୁ ଜନ୍ମୋତ୍ସବ ଅବସରରେ ଯୋଗ ଦେଇ ସୌମ୍ୟ ଦଳୀୟ ଶୀର୍ଷ ନେତୃତ୍ୱକୁ ସିଧା ସମାଲୋଚନା କରି କହିଛନ୍ତି । ସେ କହିଛନ୍ତି କି ବିଜୁ ବାବୁ ୭ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିପାରିଲେ ନାହିଁ। ହେଲେ ତାଙ୍କ ନାମରେ ନାମିତ ଦଳ ଯଥା ତାଙ୍କ ପୁଅଙ୍କ ଦ୍ୱାରା ପରିଚାଳିତ ଶାସନ ୨୨ ବର୍ଷ ହେଲା କ୍ଷମତାର ମହୁ ଚଖେଇ ଚାଲିଛି। ଏହା ଚାଲିବ ମଧ୍ୟ। କିନ୍ତୁ ମୁଁ ଓଲଟା ପ୍ରଶ୍ନ କରୁଛି। ହେଲେ କ୍ଷମତାର ଏ ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ | ଏଭଳି କ୍ଷମତା ଉପଭୋଗ କରିବାର ଯୋଗ୍ୟତା ତୁମର ଅଛି କି ନାହିଁ | ଏହି ସଭାରେ ବସିଥିବା ଲୋକ ଓ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ଲୋକେ ନିଜକୁ ନିଜେ ପଚାରି ତାର ଉତ୍ତର ଖୋଜିବା ଦରକାର ବୋଲି ସୌମ୍ୟ କହିଛନ୍ତି।ଆହୁରି କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ବିଷୟରେ କାହାଣୀ ଶୁଣିବାକୁ ଭଲ ଲାଗୁଛି। ହେଲେ ଓଡ଼ିଆରେ କଥା ଅଛି ‘ମୋ ଅଜାଙ୍କ ନିଜ ନିଶ ଥିଲା, ହେଲେ ମୋର ତ ନାହିଁ’। ଅଜାଙ୍କ ନିଶକୁ ନେଇ ଆମେ କେତେ ଦିନ ଗର୍ବ କରିବା | ବିଜୁଙ୍କ ପଟ୍ଟନାୟକଙ୍କ ନିଶ, ସାହସ, ନିର୍ଭିକତା ଓ ସପ୍ନକୁ ନେଇ କେତେ ଦିନ ଗର୍ବ କରିବା | ମୋର ନ ହେଲା ନାହିଁ ମୋ ଅଜାର ନିଶ ଥିଲା। ଏସବୁ ଅଭ୍ୟାସ ବେଶି ଦିନ ଚାଲିବ ନାହିଁ। ଆମେ ଯଦି ତାଙ୍କ ଭଳି ହୋଇପାରିବା ତାହାହେଲେ ତାଙ୍କ ଜନ୍ମଦିନ ପାଳନ କରିବା ଠିକ୍ ହେବ। ଅଜାଙ୍କ ନିଶ ଥିଲା କହି ଗର୍ବ ଅର୍ଜନ କଲେ ତୁମକୁ କେହି ଆଉ ସମ୍ମାନ ଦେବେ ନାହିଁ। ବିଜୁ ବାବୁଙ୍କର ଦୁଃସାହସ, ବିଜୁ ବାବୁଙ୍କ ସ୍ୱପ୍ନ ଏବଂ ବିଜୁ ବାବୁଙ୍କ ବିଶାଳ ହୃଦୟକୁ ଅଜାଙ୍କ ନିଶ ଭଳି ଅବତାରଣା କରିଛନ୍ତି ସୌମ୍ୟ। ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ଦ୍ୱାରା ବିଜୁ ବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସୌମ୍ୟ ପଟ୍ଟନାୟକ ଏଭଳି ମନ୍ତବ୍ୟ ରଖିଛନ୍ତି।

Breaking News